ଖୋଲିବ ରଙ୍ଗିଲା ପ୍ରେମିକର ଗୁମର, ରିମାଣ୍ଡରେ ନେଇ ଘାଣ୍ଟିବ କମିଶନରେଟ୍ ପୋଲିସ୍

ଭୁବନେଶ୍ବର: ଖୋଲିବ ରଙ୍ଗିଲା ପ୍ରେମିକର ଗୁମର । ଆଜିଠାରୁ ଦୁଇଦିନିଆ ରିମାଣ୍ଡରେ ନେଇ ଘାଣ୍ଟିବ କମିଶନରେଟ୍ ପୋଲିସ୍ । ଠକେଇ, ଆର୍ଥିକ କାରବାର, ବ୍ୟାଙ୍କକୁ ଚୁନ ଲଗାଇବା ଆଦି ଦିଗରେ ହେବ ଖୋଲତାଡ଼ । ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିବାବେଳେ ଦୁଇଦିନ ଅନୁମତି ଦେଇଛନ୍ତି କୋର୍ଟ । ଆଜିଠାରୁ ଦୁଇଦିନ ପର୍ଯ୍ଯନ୍ତ ପୋଲିସ ରିମାଣ୍ଡରେ ରହିବ ରସିକ ନାଗର ସତ୍ଯଜିତ ସାମଲ। ୫ଜଣଙ୍କୁ ବିବାହ କରି ଲୁଟ୍ ଓ ୭୦ ଯୁବତୀ ଓ ମହିଳାଙ୍କ ସହ ହୋଇଥିବା ଠକେଇ ନେଇ ଗୁମର ଖୋଲିବ କମିଶନରେଟ୍ ପୋଲିସ୍। ଡିଜିଟାଲ ଡିଭାଇସ ତନଖି ବେଳେ ବିଭିନ୍ନ ଚାର୍ଟରେ ଟଙ୍କା ମାଗିବା ଆଉ ଲୋନ ବିଷୟରେ ସୂଚନା ମିଳିଛି। ସବୁ ମାଟ୍ରିମୋନିଆଲ ସାଇଟ୍ ରୁ ତଥ୍ୟ ମଗାଯାଇଛି । ନିଜକୁ ସିବିଆଇ ଓ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର, ପାଇଲଟ, ପୋଲିସ, ଆୟକର ବିଭାଗ ଅଧିକାରୀ ବୋଲି ଅଭିଯୁକ୍ତ ଦେଉଥିଲା ମିଛ ପରିଚୟ । କୋରାପୁଟରୁ ୨ଟି ଗାଡ଼ି କୁ ଜବତ କରିଛି ପୋଲିସ । କୋରାପୁଟରେ ଦୁଇଟି ଯାକ ଗାଡ଼ି ଭଡ଼ା ଲାଗିଥିଲା । ସବୁ ବ୍ୟାଙ୍କକୁ ଅଭିଯୁକ୍ତର ତଥ୍ୟ ଦିଆଯାଇଛି । ଏବେ ସତ୍ୟଜିତ ବିରୋଧରେ ୩ ଟି ମାମଲା ରୁଜୁ ହୋଇଛି। ଆଗକୁ ଅଭିଯୋଗର ତାଲିକା ବଢିବ ବୋଲି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।