ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଏଠାରେ ଭୋଟର ବେଶ ସଚେତନ। ଆଗାମୀ ମେ ୨୫ ତାରିଖରେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟଦାନ ଥିବା ବେଳେ ଏଠାକାର ବାସିନ୍ଦା ବେଶ ଉତ୍ସାହିତ ରହିଛନ୍ତି। ନିଜର ବହୁମୂଲ୍ୟ ଭୋଟ ଦାନ ପାଇଁ ପ୍ରସ୍ତୁତ ହୋଇଛନ୍ତି ସମସ୍ତେ। ସତ୍ୟବାଦୀର ବିକାଶ ତଥା ମୌଳିକ ସମସ୍ୟା ଓ ଜଳ ନିଷ୍କାସନ ସମସ୍ୟା ଦୂର ନେଇ କାର୍ଯ୍ୟ କରିବା ପାର୍ଥୀଙ୍କୁ ନିର୍ବାଚନମଣ୍ଡଳି ବାସିନ୍ଦା ଭୋଟ ଦେବେ ବୋଲି ମନସ୍ତ କରିଥିବା ଜଣାପଡ଼ିଛି।
ଏଥର ଫମ୍ପା ପ୍ରତିଶ୍ରୁତି ନୁହଁ ବିକାଶକୁ ମିଳିବ ଭୋଟ। ନିର୍ବାଚନକୁ ନେଇ ବେଶ ସଚେତନ ପୁରୀ ଜିଲ୍ଲାର ସତ୍ୟବାଦୀ ଭୋଟର। ଭୌଗୋଳିକ ଦୃଷ୍ଟି କୋଣରୁ ପୁରୀ ଜିଲ୍ଲାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଶାଳ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ। ଗତ ୨୦୧୪ ନିର୍ବାଚନ୍ତ୍ରର ସ୍ୱାଧୀନ ଓ ୨୦୧୯ ନିର୍ବାଚନରେ ବିଜେଡିରୁ ଏହି ଆସନରେ ଉମା ସାମନ୍ତରାୟ ବିଧାୟକ ରହିଥିଲେ। ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭରଶୀଳ ରହିଥିବାରୁ ଏଠାରେ ଚାଷୀ ମାନଙ୍କର ସମସ୍ୟା ପ୍ରମୁଖ ପ୍ରସଙ୍ଗ ରହିଛି। ନିର୍ବାଚନମଣ୍ଡଳିର ଆହୁରି ବିକାଶର ଆବଶ୍ୟକତା ରହିଛି। ଏନେଇ ଲୋକଙ୍କ ହିତ ପାଇଁ ଯିଏ କାର୍ଯ୍ୟ କରିବ ସେହିଭଳି ପାର୍ଥୀଙ୍କୁ ଚୟନ କରିବେ ବୋଲି ଅଂଚଳ ବାସୀ ମନସ୍ତ କରିଛନ୍ତି ।
ନିର୍ବାଚନମଣ୍ଡଳିରେ କଣାସ ବ୍ଲକ ଏକ ପ୍ରମୁଖ ଅଂଚଳ ହୋଇଥିବା ବେଳେ ଏଠାରେ ପ୍ରତିବର୍ଷ ବନ୍ୟାଜଳ ନିଷ୍କାସନ ସମସ୍ୟା ଦେଖାଯାଏ । ଭୋଟର ଏହି ପ୍ରସଙ୍ଗକୁ ନେଇ ଆଗାମୀ ନିର୍ବାଚନରେ ମତଦାନ କରିବେ ବୋଲି ଚିନ୍ତା କରିଛନ୍ତି। ଏଥର ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ସଞ୍ଜୟ ଦାସବର୍ମା। ସେହିଭଳି ବିଜେପିରୁ ଓମ ପ୍ରକାଶ ମିଶ୍ର ଓ କଂଗ୍ରେସରୁ ମନୋଜ ରଥ ହୋଇଛନ୍ତି ପ୍ରାର୍ଥୀ। ତେବେ ଗତ କିଛି ବର୍ଷର ବିକାଶକୁ ଦେଖି ବିଜେଡିକୁ ପୁଣି ବାଛିବେ ବୋଲି ଭୋଟର ମତ ଦେଇଛନ୍ତି।
ସତ୍ୟବାଦୀରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ଅଂଚଳରେ ପ୍ରଚାକୁ ଜୋରଦାର କରିଛନ୍ତି । ହେଲେ ଚଳିତଥର ଅଞ୍ଚଳର ବିକାଶ ହିଁ ର୍ନିଣ୍ଣାୟକ ସାଜିବ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ ।

