୯୫ ବର୍ଷ ବୟସରେ ବିଶିଷ୍ଟ ସରହିତ୍ୟିକ ସାତକଡି ହୋତାଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ମୃତ୍ଯୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଭୁବନେଶ୍ବରରେ ଇହଲୀଳା ସମ୍ବରଣ କରିଛନ୍ତି ସାତକଡ଼ି । ସାହିତ୍ୟ, ସାମ୍ବାଦିକତା, ସମ୍ପାଦନାରେ ଖ୍ଯାତି ଅର୍ଜନ କରିଥିଲେ ସାତକଡ଼ି । ଓଡ଼ିଶା ସାହିତ୍ଯ ଏକାଡେମୀର ସେ ଥିଲେ ପୂର୍ବତନ ସଭାପତି । ଦୈନିକ ସମୟ ଖବରକାଗଜର ଥିଲେ ସମ୍ପାଦକ । ଅନେକ ଉପନ୍ଯାସ, ଗଳ୍ପର ସ୍ରଷ୍ଟା ସାତକଡ଼ି ହୋତା ।

୧୯୨୯ ମସିହାରେ ସାତକଡ଼ି ହୋତାଙ୍କ ହୋଇଥିଲା ଜନ୍ମ । ଅଶାନ୍ତ ଅରଣ୍ୟ ଲାଗି ୧୯୮୭ରେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମି ଲାଗି ୨୦୦୪ରେ ପାଇଥିଲେ ଶାରଳା ପୁରସ୍କାର । ୨୦୦୦ରେ ପାଇଥିଲେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ । ବ୍ୟାକୁଳ ହୃଦୟ, ମୁହାଁମୁହିଁ, ସ୍ବପ୍ନ ଶିଉଳୀ, ଏତେ ସ୍ବପ୍ନ ଏତେ, ଆଲୋକ, ଅନେକ ଦିଗନ୍ତ, ଅଶାନ୍ତ ଅରଣ୍ୟ, ଅସମୟ ଆଦି ଅନେକ ଉପନ୍ୟାସ ରଚନା କରିଥିଲେ ସାତକଡ଼ି । ରିବୁରୁ କନ୍ୟା, ଫୁଲର ଗୋଟିଏ ସୁରଭି, ସାୟାହ୍ନର ଶୋଭା, ଅସତର୍କ ମୁହୂର୍ତ୍ତ, ଜଗନ୍ନାଥ ହସ, ଶୋଶିତର ସ୍ୱପ୍ନ ଆଦି ଅନେକ ଗଳ୍ପ ସଂକଳନ ରଚନା କରିଥିଲେ ସାତକଡ଼ି । ଦୀର୍ଘ ଦଶନ୍ଧି ଧରି ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରକାଶ ପାଇଆସୁଛି ମାସିକ ସାହିତ୍ୟ ପତ୍ରିକା ଅମୃତାୟନ । ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ, ସାମ୍ବାଦିକତା, ଖବରକାଗଜ ଜଗତରେ ଶୋକର ଛାୟା ପ୍ରକାଶ ପାଇଛି । ସାତକଡ଼ି ହୋତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ ଏହି ଦୁଃସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି ।