ପୁଅର ମୃତ୍ୟୁରେ ଭାଙ୍ଗିପଡିଥିଲେ ସତୀଶ କୌଶିକ, ୧୬ବର୍ଷ ପରେ ସରୋଗେସିରେ ବନିଥିଲେ ବାପା

ମୁମ୍ବାଇ: ଆରପାରିରେ ବଲିଉଡ଼ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ ଚନ୍ଦ୍ର କୌଶିକ । ୬୭ ବର୍ଷ ବୟସରେ ସତୀଶଙ୍କ ପରଲୋକ ହୋଇଛି । ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ତାଙ୍କର ହୋଇଥିଲା ଜନ୍ମ । ଥିଏଟର ପରେ ବଲିଉଡ଼ରେ ପାଇଥିଲେ ବ୍ରେକ୍ । ୧୯୮୩ରେ ମାସୁମ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ ବଲିଉଡ଼କୁ ଏଣ୍ଟ୍ରି ନେଇଥିଲେ । ୧୯୮୭ରେ ଫିଲ୍ମ ମିଷ୍ଟର ଇଣ୍ଡିଆରେ ବଲିଉଡ଼ରେ ଆକ୍ଟିଂରୁ କରିଥିଲେ କ୍ୟାରିୟର ଆରମ୍ଭ । ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ରୋଲ୍ ତାଙ୍କୁ ଦେଇଥିଲା ନୂଆ ପରିଚୟ । ତା ପରଠୁ ଆଉ ପଛକୁ ଫେରିନଥିଲେ ସତୀଶ । ପ୍ରାୟ ଶହେରୁ ଅଧିକ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ନିଚ୍ଛକ ଛାପ ଛାଡ଼ିଯାଇଛି ।
୧୯୮୫ ମସିହାରେ ସତୀଶ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରାୟ ୧୦ ବର୍ଷ ପରେ ତାଙ୍କର ଏକ ପୁଅ ହୋଇଥିଲା । ୧୯୯୬ ମସିହାରେ ଏକ ଦୁର୍ଘଟଣାରେ ସେ ତାଙ୍କ ଦୁଇ ବର୍ଷର ପୁଅକୁ ହରାଇଥିଲେ । ଏହି ଦୁଃଖରୁ ବାହାରିବାକୁ ସତୀଶଙ୍କୁ ବହୁ ସମୟ ଲାଗିଥିଲା । ତାଙ୍କ ପୁଅ ମୃତ୍ୟୁର ୧୬ ବର୍ଷ ପରେ ୨୦୧୨ ମସିହାରେ ସରୋଗେସି ମାଧ୍ୟମରେ ସତୀଶଙ୍କ ଘରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।
ସତୀଶଙ୍କ ଚଳଚ୍ଚିତ୍ର କରିୟର ଖୁବ୍ ସାନଦାର ଥିଲା । ରୁପ୍ କି ରାନୀ , ଚୋରୋ କା ରାଜା ଫିଲ୍ମରେ ନିର୍ଦ୍ଦେଶନାରେ ଦେଇଥିଲେ ପାଦ । ୧୯୯୭ର ଫିଲ୍ମ ଦିୱାନା ମସ୍ତାନାରେ ପପୁ ରୋଲ ତାଙ୍କ କ୍ୟାରିୟରକୁ ଦେଇଥିଲା ନୂଆ ମୋଡ଼ । ୧୯୯୦ ରେ ରାମ୍ ଲଖନ ଓ ୧୯୯୭ରେ ସାଜନ ଚଲେ ସସୁରାଲ୍ ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ହ୍ୟାସ ଅଭିନେତା ପାଇଁ ଫିଲ୍ମଫେୟାର ପୁରସ୍କାର ପାଇଥିଲେ ସତୀଶ। ତାଙ୍କ ଅଭିନୀତ ତେରେନାମ, କର୍ଜ, ହାମରା ଦିଲ୍ ଆପକେ ପାସ୍ ହେ, ହମ୍ ଆପକେ ଦିଲ ମେ ରେହେତ ହେ, ମୁଝେ କୁଛ କେହେନା ହେ, ଏମର୍ଜେନସି ଆଜିବି ତାଙ୍କୁ ବଲିଲଭରଙ୍କ ମନରେ ବସାଇଛି ।