ସତୀଶଙ୍କ ଜନ୍ମଦିନରେ ଝିଅ ଲେଖିଲେ ଇମୋସନାଲ ପୋଷ୍ଟ, କାନ୍ଦିପକାଇଲା ବଲିଉଡ

ମୁମ୍ବାଇ: ଦୁନିଆକୁ ଅଲବିଦା କହି ସାରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକ  । କିନ୍ତୁ ତାଙ୍କ ଜନ୍ମଦିନକୁ ବଡ ଧୂମଧାମରେ ସେଲିବ୍ରେଟ କରିଛି ବଲିଉଡ  । ସତୀଶଙ୍କ ଜନ୍ମଦିନ ସେଲିବ୍ରେସନର ମୁକସାକ୍ଷୀ ପାଲଟିଛି ଜୁହୁସ୍ଥିତ ଇସ୍କନ ଅଡିଟୋରିୟମ । ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜନ୍ମଦିନକୁ ସମାନ ଢଙ୍ଗରେ ପାଳିବାକୁ ମନ ବଳାଇଥିଲେ ବନ୍ଧୁ ତଥା ଅଭିନେତା ଅନୁପମ ଖୈର  । ସତୀଶଙ୍କ ଅନୁପସ୍ଥିତିରେ ଶୋକବ୍ୟକ୍ତ ନ କରି ତାଙ୍କ ଜୀବନକୁ ବଞ୍ଚିବା ଶୈଳୀରେ ସେଲିବ୍ରେଟ ପାଇଁ ସର୍ତ୍ତ ରଖିଥିଲେ ଅନୁପମ  ।

ଅଡିଟରିୟମରେ ଥିବା ଅତିଥିଙ୍କୁ ଅନୁପମ କହିଥିଲେ ସତୀଶଙ୍କ ଏହା ୬୭ତମ ଜନ୍ମଦିନ । ତାଙ୍କ ସହ ୪୭ ବର୍ଷ ବିତାଇଛି  । ମୁଁ ଚେଷ୍ଟା କରିବି ଆଜି ବିଲକୁଲ କାନ୍ଦିବିନି  । ହସିହସି ତାଙ୍କ ଜନ୍ମଦିନ ସେଲିବ୍ରେଟ କରିବି  । ଆପଣ ବି ତାଙ୍କ ଅନୁପସ୍ଥିତରେ ଶୋକ ପ୍ରକାଶ ନ କରି ତାଙ୍କ ଜୀବନକୁ ସେଲିବ୍ରେଟ କରନ୍ତୁ  । ସତୀଶଙ୍କ ଜୀବନ ଏବେ ବି ଜବରଦସ୍ତ ଓ ଡ୍ରାମାଟିକ ରହିଛି  ।

ଏସବୁ ମଧ୍ୟରେ ସତୀଶଙ୍କ ଝିଅ ଲେଖିଥିବା ଇମୋସନାଲ ପୋଷ୍ଟ ଅଡିଟରିୟମରେ ଥିବା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା  । ଅନୁପମଙ୍କ ସହ ଷ୍ଟେଜରେ ଛିଡା ହୋଇ ଝିଅ ବଂଶିକା ସତୀଶଙ୍କ ପାଇଁ ଲେଖିଥିବା ନୋଟ୍‌ ଟିକୁ ପଢିଥିଲେ  । ସେ ଲେଖିଥିଲେ ‘ହାଲୋ ପାପା, ମୁଁ ଜାଣିଛି ତୁମେ ଏହି ଦୁନିଆରୁ ଚାଲିଯାଇଛ  । ହେଲେ ମୁଁ ତୁମ ପାଇଁ ସବୁବେଳେ ଅଛି  । ତୁମ ବନ୍ଧୁ ମାନେ ମୋତେ ଷ୍ଟ୍ରଙ୍ଗ ହେବା ପାଇଁ ସାହାସ ଦେଉଛନ୍ତି  । କିନ୍ତୁ ତୁମ ବିନା କେମିତି ସମ୍ଭବ ? ତୁମେ ବହୁତ ମନେ ପଡୁଛ  । ଯଦି ମୁଁ ଜାଣିଥାନ୍ତି ତୁମେ ଏତେ ଶୀଘ୍ର ଦୁନିଆ ଛାଡିଦେବ ମୁଁ ତୁମ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ସ୍କୁଲ ଯାଇନଥାନ୍ତି  । ମୁଁ ତୁମକୁ ଥରେ ଆଲିଙ୍ଗନ କରିପାରିଥାନ୍ତି କି ?  କିନ୍ତୁ ଏବେ ତୁମେ କୁଆଡେ ପଳେଇଛ ? ଫିଲ୍ମ ଭଳି କିଛି ଯାଦୁ ହୋଇଯାଆନ୍ତା କି ? ତୁମେ ପୁଣି ଥରେ ମୋ ପାଖକୁ ଫେରି ଆସନ୍ତ  । ହୋମୱାର୍କ ନ କଲେ ମମିଙ୍କ ଗାଳିରୁ କିଏ ବଞ୍ଚାଇବ ? ସାଙ୍ଗମାନେ ସ୍କୁଲରେ ମଜାକ୍‌ ଉଡାଇଲେ କଣ ଉତ୍ତର ଦେବି ?

‘ତୁମେ ସବୁବେଳେ ମନେ ପଡୁଛ  । ମୁଁ ତୁମ ପାଇଁ ପୂଜା କରିଛି  । ତୁମେ ସ୍ବର୍ଗରେ ରୁହ ଆଉ ଖୁସିରେ ରୁହ  । ବଡ ବଙ୍ଗଳାରେ ରୁହ ଆଉ ଫରାରୀ ଭଳି ଦାମୀ ଗାଡିରେ ବୁଲ  । ସ୍ବାଦିଷ୍ଟ ଖାଦ୍ୟ ଖାଅ  । କିଛି କଥା ନାହିଁ ଆମେ ୯୦ ବର୍ଷ ପରେ ପୁଣି ଭେଟିବା  । ପୁଣିଥରେ ଜନ୍ମ ନିଅନି । ଆମେ ଏକାଥରେ ସେଠି ଦେଖାହେବା  । ପ୍ଲିଜ ମୋତେ ମନେ ରଖିଥିବ । ମୁଁ ଆଖି ବୁଜିଲେ ବି ତୁମକୁ ଦେଖୁଛି । ମୁଁ ତୁମକୁ ବହୁତ ଭଲ ପାଏ  । ମୋତେ ଦୁନିଆର ବେଷ୍ଟ ପାପା ମିଳିଥିଲେ  ’।