୯ ହଜାର ୟୁକ୍ରେନବାସୀଙ୍କୁ ଗଣ କବର ଦେଇଛନ୍ତି ଋଷ ସୈନ୍ୟ

କିଭ୍: ମାରିୟୁପୋଲରେ ଗଣ କବର । ବନ୍ଦର ସହରରେ ଘମାଘୋଟ ଯୁଦ୍ଧ ପରେ ସାମ୍ନାକୁ ଆସିଛି ଛାତିଥରା ଚିତ୍ର । ସାଟେଲାଇଟ ଇମେଜରେ ଗଣ ଜନସମାଧିର ସତ । ପୋର୍ଟସିଟିରେ ଗଣହତ୍ୟାକାଣ୍ଡ ଲୁଚାଇବା ପାଇଁ ଋଷ ସୈନ୍ୟ ପ୍ରାୟ ୯ ହଜାର ସାଧାରଣ ନାଗରିକଙ୍କୁ ଗଣ କବର ଦେଇଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି । ମାରିୟୁପୋଲରେ ୨ ଶହରୁ ଅଧିକ ଗଣ କବର ଦିଆଯାଇଥିବା ମକ୍ସର ଟେକ୍ନୋଲୋଜି ଜାରି କରିଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି ।

ସେପଟେ ମାରିୟୁପୋଲରୁ ୩ଟି ବସରେ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇ ଜାପୋରିଜାଝିଆ ନିଆଯାଇଛି । ପୁଟିନଙ୍କ କ୍ରିମିଆରୁ ଋଷ ପର୍ଯ୍ୟନ୍ତ ଲ୍ୟାଣ୍ଡ ବ୍ରିଜ ଯୋଜନା ଯୋଗୁ ପୋର୍ଟସିଟିରେ ଆହୁରି ଜୋରଦାର ଆଟାକ ହୋଇପାରେ ବୋଲି ଆଶଙ୍କା କରିଛି ୟୁକ୍ରେନ । ପୁରା ସହରରେ ଏୟାର ଷ୍ଟ୍ରାଇକ ଆଲର୍ଟ ଜାରି କରାଯାଇଛି । ଯୁଦ୍ଧକୁ ୫୮ ଦିନ ହୋଇଥିବା ବେଳେ ଆକ୍ରମଣକୁ ଆହୁରି ଜୋରଦାର କରିଛି ମସ୍କୋ । ଯୁଦ୍ଧ ମୁକାବିଲା ଲାଗି ୟୁକ୍ରେନକୁ ଆହୁରି ଯୁଦ୍ଧାସ୍ତ୍ର ଯୋଗାଇବାକୁ ସାରାବିଶ୍ବକୁ ନିବେଦନ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ବିଶ୍ବର ବିଭିନ୍ନ ରାଷ୍ଟ୍ର ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ପ୍ରତି ଜବାବରେ କେତେକ ରାଷ୍ଟ୍ର ଉପରେ କଟକଣା ଜାରି କରିଛି ଋଷ । ଆମେରିକା ଓ କାନାଡ଼ାର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଋଷ ଗସ୍ତ ଉପରେ କଟକଣା ଲଗାଇଛି ମସ୍କୋ । ଆମେରିକା ଉପରାଷ୍ଟ୍ରପତି କମଲା ହରିଶଙ୍କ ସମେତ କେତେଜଣ ଉଦ୍ୟେଗପତି, ସାମ୍ବାଦିକଙ୍କ ନାଁ ସାମିଲ ରହିଛି ।