କଂଗ୍ରେସ ସହ ମତଭେଦ ଭିତରେ ପିୟୂଷ ଗୋଏଲଙ୍କ ସହ ଫଟୋ ସେୟାର କରି ପ୍ରଂଶସା କଲେ ଶଶୀ ଥରୁର

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ବିପକ୍ଷରେ ଶଶୀ ଥରୁର ଦେଇଥିବା ପ୍ରତିକ୍ରିୟାକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ସହ ଶଶୀ ଥରୁରଙ୍କ ମତଭାଦ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିବାବେଳେ ଏବେ ବିଜେପିର ବରିଷ୍ଠ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହ ସେଲଫି ସେୟାର କରିଛନ୍ତି ଶଶୀ । କେବଳ ଏତିକି ନୁହେଁ ପିୟୂଷଙ୍କୁ ଢ଼େରସାରା ପ୍ରଂଶସା ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ହେଉଥିବାବେଳେ ଏହି ଫଟୋଟି ରାଜନୈତିକ ଗ୍ରୁପ ମାନଙ୍କରେ ମଧ୍ୟ ବହୁଳ ମାତ୍ରାରେ ସେୟାର କରାଯାଉଛି । କିଏ କହୁଛି ବିଜେପିରେ ମିଶିବେ ତ ଆଉ କିଏ ଶଶୀ ଥରୁରଙ୍କୁ ଧୋକାବାଜ ବୋଲି କହି କମେଣ୍ଟ କରୁଛି । ତେବେ କହି ରଖୁଛୁ କି, କେରଳର ପିନାରାଇ ସରାକାରଙ୍କୁ ପ୍ରଂଶସା କରିବା ସହ ମୋଦିଙ୍କ ବିଦେଶ ଗସ୍ତକୁ ମଧ୍ୟ ବେଶ ପ୍ରଂଶସା କରିଥିଲେ ଶଶୀ ଥରୁର । ଏହାସହ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ କଂଗ୍ରେସ ଏବଂ ଶଶୀଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ଫଟୋ ପୋଷ୍ଟ କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।