ସାରୁଆ ଜମି କେଳେଙ୍କାରୀ, ହାଇକୋର୍ଟରେ ପକ୍ଷ ରଖିବେ ଜଗି-ଜୟ
ଖୋର୍ଦ୍ଧା: ସାରୁଆ ଜମି କେଳେଙ୍କାରୀ ମାମଲା । ହାଇକୋର୍ଟରେ ସୋମବାର ବିବୃତି ରଖିବେ ସମସ୍ତ ପକ୍ଷ । ୧୩ ତାରିଖରେ ଶୁଣାଣି କରି ହାଇକୋର୍ଟ ଉଭୟ ପକ୍ଷଙ୍କୁ ଲିଖିତ ଭାବେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା ।
ସେହିଦିନ ହିଁ ଗିରଫ ହେବା ଭୟରେ ଜଗି ଓ ଜୟ ପଣ୍ଡା ହାଇକୋର୍ଟରୁ ଆଣ୍ଟିସିପେଟୋରି ବେଲ ଆଣିବାରେ ସକ୍ଷମ ହୋଇଥିଲେ । ହାଇକୋର୍ଟ ଉଭୟଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା ।
୨୦୧୦ ରୁ ୨୦୧୩ ମଧ୍ୟରେ ରବି ସେଠୀ ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଲିତଙ୍କଠାରୁ ୭. ୨୯ ଏକର ଜମି କିଣିଥିଲେ । ୨୦୧୬ ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି । ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ ।
ଅନ୍ୟପଟେ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାଇତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍ଫ୍ରାଟେକ୍’ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତା’ପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।
ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ୍ ଗଢ଼ାଯାଇଥିଲା । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା । ୨୦୧୦ରେ ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ । ତେବେ ରବିବାର ମନୋରଂଜନଙ୍କୁ ବେଲ୍ ମିଳିସାରିଛି ।