ପଣ୍ଡା ଦମ୍ପତିଙ୍କୁ ଝଟ୍‌କା: ସାରୁଅ ଜମି କେଳେଙ୍କାରୀ ମାମଲା ରଦ୍ଦ କରିବା ନେଇ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲା । ହାଇକୋର୍ଟରୁ ପଣ୍ଡା ଦମ୍ପତ୍ତିଙ୍କୁ ଝଟ୍‌କା । ମାମଲା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । ଅନ୍ତରୀଣ ସୁରକ୍ଷା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ହାଇକୋର୍ଟ ।

ଗତ ୫ ତାରିଖରେ ଖୋର୍ଦ୍ଧା ସାରୁଅରେ ଦଳିତଙ୍କ ଜମି ହଡ଼ପ ହୋଇଛି ବୋଲି ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରେସମିଟ କରି ପଣ୍ଡା ଦମ୍ପତ୍ତିଙ୍କ ଗୁମର ଖୋଲିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ନିଜ ଦଳିତ ଡ୍ରାଇଭରଙ୍କୁ ମୋହରା କରି ଶାଗମାଛ ଦରରେ ଜମି ହାତେଇଛନ୍ତି ବୋଲି ଇଓଡବଲ୍ୟୁ ସୂଚନା ଦେଇଥିଲା । ୨୦୧୦ ରୁ ୨୦୧୩ ମଧ୍ୟରେ ରବି ୨୦ ଲକ୍ଷ ଟଙ୍କାରେ ଅନ୍ୟ ଦଳିତଙ୍କଠାରୁ ୭.୨୯ ଏକର ଜମି କିଣିଥିଲେ । ୨୦୧୬ ରୁ ୨୦୧୯ ମଧ୍ୟରେ ସେ ଏହାକୁ ଜଗି ଓ ଜୟଙ୍କୁ ୬୫ ଲକ୍ଷ ଟଙ୍କାରେ ବିକିଥିଲେ । କିନ୍ତୁ ଏ ବାବଦରେ ଦଳିତ ଡ୍ରାଇଭର ରବି ସେଠୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଆସିନି । ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଚାହିଁଲେ ଅଭିଯୁକ୍ତ ଗିରଫ ମଧ୍ୟ କରିପାରିବ ।

ଏପରି ଭାବେ ଜମି ଜାଲିଆତି ଓ ହଡପ ଜରିଆରେ ବେଆଇନ କାରବାର ହୋଇଛି ବୋଲି କହିଥିଲା ଇଓଡବଲ୍ୟୁ । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ଇଓଡବଲ୍ୟୁ । କିନ୍ତୁ ବେଆଇନ ଅର୍ଥ କାରବାରର ତଦନ୍ତ ପୋଲିସ ପରିସରଭୁକ୍ତ ନୁହେଁ ବୋଲି କହି ଅଧିକ ତଦନ୍ତ ଲାଗି ଆୟକର ବିଭାଗକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ଇଓଡବଲ୍ୟୁ । ଏହି ମାମଲାରେ ନଭେମ୍ବର ପହିଲାରେ ‘ଓଡ଼ିଶା ଇନ୍‌ଫ୍ରାଟେକ୍‌’ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ତାପର ଦିନ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଏହାପରେ ମନୋରଂଜନ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।

ଏହାକୁ ନେଇ ତାଙ୍କ ଶାଳକ ହରିହର ମିଶ୍ର ଉଭୟ ଜଗି ଓ ଜୟଙ୍କ ଉପରେ ଖୁବ ବର୍ଷିଥିଲେ । କହିଥିଲେ, ଜଣେ ସଚ୍ଚୋଟ କର୍ମଚାରୀଙ୍କୁ ଉଭୟ ବକ୍‌ରା ବନେଇ ବିଶାଳ ସାମ୍ରାଜ୍ୟ ଗଢିଛନ୍ତି । ୨୦୦୮ରେ ୧୨ ବର୍ଷ ତଳର ଏହି କେଳେଙ୍କାରୀରେ ପ୍ରଥମେ ଓଡ଼ିଶା ଇନଫ୍ରାଟେକ ପ୍ରା. ଲିମିଟେଡ ଗଢାଯାଇଥିଲା । କମ୍ପାନୀରେ ପ୍ରଥମେ ଜଗି ମଙ୍ଗତ ପଣ୍ଡା ଓ ବିଭୁ ପ୍ରସାଦ ରଥଙ୍କୁ ନେଇ ସାରୁଅରେ ଜମି ହଡ଼ପ ଆରମ୍ଭ ହୋଇଥିଲା । ୨୦୧୦ରେ ଜଗି ଏଥିରୁ ବାହାରି ଗଲା ପରେ ମନୋରଂଜନ ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶକ କରାଯାଇଥିଲା । କିନ୍ତୁ ମନୋରଂଜନ ନିର୍ଦ୍ଦେଶକ ହେବା ପରେ ତାଙ୍କ ଅମଳରେ ମାତ୍ର ଦୁଇଟି ଜମି କିଣାଯାଇଥିଲା ଯାହା ସାଧାରଣ ବର୍ଗର ବୋଲି ଶାଳକ କହିଥିଲେ । ତେଣୁ ସେ ଏହି ମାମଲାରେ ନିର୍ଦ୍ଦୋଷ ବୋଲି କହିବା ସହ ଓଟିଭି ଗ୍ରୁପ ସହ ସମସ୍ତ ସଂପର୍କ ଛିନ୍ନ କରି ଇସ୍ତଫା ଦେଇଥିଲେ ।

Leave a Reply