ସାରୁଅ ଜମି କେଳେଙ୍କାରୀ ମାମଲା: କ୍ରାଇମବ୍ରାଞ୍ଚର ସରଜମିନ୍ ତଦନ୍ତ ଆରମ୍ଭ

ଖୋର୍ଦ୍ଧା: ସାରୁଅ ଜମି ମହାଲୁଟର ମୁଖା ଖୋଲିବ କ୍ରାଇମବ୍ରାଞ୍ଚ। ନିଜ ସଂସ୍ଥାର ଅଭାବି ଡ୍ରାଇଭରଙ୍କୁ ମୋହରା କରି କେମିତି ଜମି ଲୁଟର ପ୍ଲାନ୍ ପ୍ରସ୍ତୁତ ହୋଇଥିଲା, ସେନେଇ ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ପରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ସାରୁଅରେ ପ୍ରଥମ ଥର ପାଇଁ ପହଞ୍ଚିଛି କ୍ରାଇମବ୍ରାଞ୍ଚ  । ସାରୁଅର ମଲ୍ଲିକ ସାହିରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଆରମ୍ଭ କରିଛି ସରଜମିନ ତଦନ୍ତ  । ମଲ୍ଲିକ ସାହି ପୋଖରୀ ପାଖରେ ପହଞ୍ଚି ବିବାଦୀୟ ଜାଗା ବୁଲିବା ସହିତ ପୋଖରୀ ବି ବୁଲି ଦେଖିଛି  । ସ୍ଥାନୀୟ ବାସିନ୍ଦାଙ୍କୁ ଏ ନେଇ ପଚରାଉଚରା କରୁଛି ଟିମ  ।

କ୍ରାଇମବ୍ରାଞ୍ଚ ଟିମ ସହ ଡିଏସପି ଓ ଏଏସପି ଉପସ୍ଥିତ ଅଛନ୍ତି  । ତେବେ ଅନୁସୂଚିତଙ୍କ ଜମି ହଡପ ନେଇ ୩ଟି ମାମଲାରୁ ଗୋଟିଏ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜମି କିଣାବିକାର ଜଗିଙ୍କ ମୋହରା ଥିଲେ ରବୀନ୍ଦ୍ର କୁମାର ସେଠୀ । ରବୀନ୍ଦ୍ରଙ୍କ ଜରିଆରେ ହାଲୁରୀ ପାହାଡସିଂଙ୍କ ଠାରୁ ଓଡ଼ିଶା ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି । ହାଲୁରୀ ପାହାଡସିଂ ଅନୁସୂଚିତ ଜାତି ବର୍ଗର। ସେଲ୍ ଡିଡ୍‌ରେ ବିକ୍ରେତା ଓ କ୍ରେତା ଉଭୟଙ୍କ ସମାନ ଠିକଣା ରହିଛି । ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶା ଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଥିଲା । ହାଲୁରୀ ପାହାଡ଼ସିଂଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି। ସ୍ୱଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ସଂସ୍ଥା ଦର୍ଶାଇଥିଲା ।

ଗରିବ ଅନୁସୂଚିତ ଜାତି ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା । ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଅଭାବି ରବୀନ୍ଦ୍ରଙ୍କୁ ଧନୀ ଜମି ମାଲିକ ବୋଲି ଏଥିରେ ପରିଚିତ କରାଯାଇଛି । ଆଉ ତାଙ୍କୁ ମାଧ୍ୟମ କରି ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି ମାରି ନେଇଛି । ସାରୁଅ ଜମି ମାମଲାରେ ଦୁଇଟି ପିଟିସନ୍ ହୋଇଛି । ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡସିଂଙ୍କ ଘର ସାରୁଅରେ । ରବୀନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ । ଆଉ ରବୀନ୍ଦ୍ରଙ୍କୁ ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିବା ଅଭିଯୋଗ ଆଣିଛନ୍ତି ହାଲୁରୀ ପାହାଡସିଂ । ହାଲୁରୀଙ୍କ ଜମି ଉପରେ ଓଟିଭି ପାଚେରୀ ଛିଡ଼ା କରିଛି । ପାଚେରୀ ଯୋଗୁଁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି ।

ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

 

Leave a Reply