ସରପଞ୍ଚ ପ୍ରାର୍ଥୀଙ୍କ ଦକ୍ଷତା ମାପିଲେ ଗ୍ରାମବାସୀ: ଖାତା କଲମ ଧରି ପରୀକ୍ଷା ଦେଲେ ପ୍ରାର୍ଥୀ

ରାଉରକେଲା: ସରପଞ୍ଚ ପ୍ରାର୍ଥୀଙ୍କ ଦକ୍ଷତା ମାପିଲେ ଗ୍ରାମବାସୀ । ପଦବୀ ପାଇଁ ଖାତା କଲମ ଧରି ପରୀକ୍ଷା ଦେଲେ ସରପଞ୍ଚ ପ୍ରାର୍ଥୀ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ମାଲୁପଡ଼ାରେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜନସାଧାରଣ । ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ପ୍ରାର୍ଥୀ ବିଜୟ ପରେ କଣ କରିବେ ସେନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଲିଖିତ ପରୀକ୍ଷା କରାଯାଇଛି ।

ମୋଟ ୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବାବେଳେ ୩ଜଣଙ୍କୁ ଉତ୍ତୀର୍ଣ୍ଣ କରିଛନ୍ତି ଗ୍ରାମବାସୀ । ସରପଞ୍ଚ ହେଲେ କ’ଣ ଲକ୍ଷ୍ୟ ରହିବ ? ୫ ଗୋଟି ନିଃସ୍ୱାର୍ଥ ସେବା କ’ଣ କରିଛ ? ଜିତିଲା ପରେ ଘର ଘର ବୁଲି ଲୋକଙ୍କ ସମସ୍ୟା ସମାଧାନ କରିବେ କି? ଏହିପରି ୭ରୁ ଅଧିକ ପ୍ରଶ୍ନର ଉତ୍ତର ଲେଖିଲେ ପ୍ରାର୍ଥୀ । କୌତୁହଳର କଥା ହେଲା ପ୍ରାର୍ଥୀମାନେ ମଧ୍ୟ ଗ୍ରାମବାସୀଙ୍କ କାର୍ଯ୍ୟକୁ ବିରୋଧ କରିନଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ୩ଜଣଙ୍କ ମଧ୍ୟରୁ ଗ୍ରାମବାସୀ ବ୍ୟକ୍ତିଗତ ଇଚ୍ଛାନୁସାରେ ଭୋଟ୍ ଦେଇପାରିବେ । ତେବେ ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

Leave a Reply