ସାଇକେଲରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ସରପଞ୍ଚ ପ୍ରାର୍ଥୀ

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସୁଜନପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ନା ଥିଲା ଗାଡ଼ି ମଟର ପଟୁଆର, ନା ଥିଲେ ଶତାଧିକ ସମର୍ଥକ । ସରପଞ୍ଚ ପ୍ରାର୍ଥୀ ବିଶ୍ୱ ରଂଜନ ବଳବନ୍ତରାୟ ମାତ୍ର କିଛି ସର୍ମଥକଙ୍କ ସହ ସାଇକେଲ୍‌ରେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ନୋମିନେସନ ଭରିଛନ୍ତି । ରାଜନୀତି ଲକ୍ଷ୍ୟ ନୁହେଁ ବଂର ସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଶିକ୍ଷା, ଗମନା ଗମନ, ସ୍ୱାସ୍ଥ୍ୟ ଓ ପାନୀୟ ଜଳ କିଭଳି ଭାବରେ ପଞ୍ଚାୟତବାସୀଙ୍କ ପାଖରେ ପହଞ୍ଚାଇ ପାରିବେ ତାହାକୁ ଏକ ବଡ଼ ଦାୟିତ୍ୱ ଭାବେ ନେଇ ଭୋଟ ଭିକ୍ଷା କରିବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ୱେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ପ୍ରାର୍ଥୀଙ୍କ ବିଷୟରେ ମତଦାତା ଅଧିକ ତଥ୍ୟ ଜାଣିପାରିବ । ରାଜ୍ୟରେ ଏହି ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଛି ।

ଏହାଦ୍ୱାରା ନିର୍ବାଚନରେ ଅଧିକ ସ୍ୱଚ୍ଛତା ଆସିପାରିବ । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ଯାଏଁ କାଉଣ୍ଟିଂ କରାଯିବ । ସେପଟେ ପ୍ରାର୍ଥୀ ଦେବା ପାଇଁ କସରତ୍ ଚଳାଇଛନ୍ତି ସବୁ ଦଳ । ୮୫୩ ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ବିଜେଡିରେ ଦଳ ପ୍ରତି ଆନୁଗତ୍ୟ ଏବଂ ଜିତିବାର ସମ୍ଭାବନା ଦେଖି ପ୍ରାଥୀ ଚୟନ କରୁଛି ବିଜେଡି । ଜିଲ୍ଲାସ୍ତରରୁ ଆସିଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବେ । ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ କସରତ ଜୋରଦାର କରିଛନ୍ତି ।

Leave a Reply