ସୂଚନା ଓ ଲୋକସଂପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସରୋଜ ସାମଲ

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ସରୋଜ କୁମାର ସାମଲ ପୂର୍ବତନ ନିର୍ଦ୍ଦେଶକ  ଇନ୍ଦ୍ରମଣି ତି୍ରପାଠୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ରାଜ୍ୟ ସରକାରଙ୍କ ମୁଖପତ୍ର ସଦୃଶ । ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକୁ ଏହି ବିଭାଗ ପ୍ରଚାରପ୍ରସାର କରି ସରକାରଙ୍କ ଭାବମୂର୍ତ୍ତି ଗଠନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ଦଳଗତ କାର୍ଯ୍ୟ ଉପରେ ବିଶ୍ୱାସ କରୁଥିବା ନୂଆ ନିର୍ଦ୍ଦେଶକ ୫-‘ଟି’ ମନ୍ତ୍ର ଆଧାରରେ ବିଭାଗର ଗୌରବ ଓ ଗରିମାକୁ ବୃଦ୍ଧି କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ବିଭାଗର ସମ୍ମିଳନୀ କକ୍ଷରେ ପୁଷ୍ପଗୁଚ୍ଛ ଦେଇ ନୂଆ ନିର୍ଦ୍ଦେଶକଙ୍କୁ ବିଭାଗ ତରଫରୁ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ସ୍ୱାଗତ କରିଥିବାବେଳେ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମମାନଙ୍କରେ ଗଣମାଧ୍ୟମ ପରିଚାଳନାଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କୋଭିଡ୍‌ ସମୟରେ ବିଶେଷ କରି ସେ ସମୟରେ ହୋଇଥିବା ରଥଯାତ୍ରାରେ ବିଭାଗ ଏକନିଷ୍ଠ ହୋଇ କାର୍ଯ୍ୟ କରିଥିଲା, ଯାହାର ସୁଫଳ ରାଜ୍ୟବାସୀ ପାଇଥିଲେ ।

ପାଖାପାଖି ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ସମସ୍ତଙ୍କଠାରୁ ଅକୁଣ୍ଠ ସହଯୋଗ ପାଇଛି, ଯାହା ସବୁଦିନ ସ୍ମରଣୀୟ ରହିବ ବୋଲି ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀ ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ସଭାକୁ ସଂଯୋଜନା କରି ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଏହା ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଶ୍ରୀ ସାମଲ ଜଣେ ଦକ୍ଷ ପ୍ରଶାସକ ରୂପେ ସୁନାମ ଅର୍ଜନ କରିଥିବା ପ୍ରକାଶ କରିଥିଲେ । ସେହିପରି ବିଭାଗର ସୁଦୃଢ଼ୀକରଣ ପାଇଁ ଅନେକ ନୂଆ ପଦକ୍ଷେପ, ବିଶେଷ କରି ନୂଆ ନିଯୁକ୍ତି ପାଇଁ ବିଦାୟୀ ନିର୍ଦ୍ଦେଶକ ଶ୍ରୀ ତି୍ରପାଠୀଙ୍କ ପ୍ରୟାସ ଓ ପଦକ୍ଷେପଗୁଡ଼ିକର ସେ ଭୂୟସୀ ପ୍ରଶଂସା କରିଥିଲେ । ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସଭାରେ ଉପସ୍ଥିତ ଥିଲେ ।