ସରିଲା ମହାପ୍ରଭୁଙ୍କ ରଥର ଗୁଜ ଅନୁକୂଳ

1 min read

ପୁରୀ : ଚଳଚଞ୍ଚଳ ହୋଇଛି ରଥଖଳା । ନିର୍ମାଣ ଚାଲିଛି ମହାପ୍ରଭୁଙ୍କ ରଥ । ଗତକାଲି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥ ନିର୍ମାଣ ପରମ୍ପରାର କୋଣଗୁଜ ଅନୁକୂଳ ହୋଇଥିଲା l ଶ୍ରୀଜିଉମାନଙ୍କର ଯାତଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିଛନ୍ତି l ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି l ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥ ଖଳାରେ ରଖିବା ପରେ ବିଶ୍ୱକର୍ମା ମହାରଣା ମାନେ ବାର୍ଷିରେ ଚୌପଟ କରି ରୂପକାର ସେବକଙ୍କୁ ଯୋଗାଇଥିଲେ l ଗୁଜ ଜଳଯନ୍ତ୍ର ଓ ଗୁଡୁକା ଆଦି ତିଆରି ହେବା ପରେ ରୂପକାରମାନେ ଗୁଜରେ ନୃସିଂହଙ୍କ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଛନ୍ତି l ବିଧିବଦ୍ଧ ଭାବେ ରୂପକାର ସେବକମାନେ ରଥ ଖଳାରେ ଯୋଗଦାନ କରି କାର୍ଯ୍ୟ ଆରମ୍ବ କରିଛନ୍ତି l

ରୂପକାର ସେବକମାନେ କୋଣ ଗୁଜରେ ନର ବିରାଳ, ସିଂହ ବିରାଳ, ହସ୍ତୀ ବିରାଳ ଖୋଦେଇ କରିବେ । ରୂପକାର ସେବକମାନେ ଅକ୍ଷୟ ତୃତୀୟାରେ ଶାଢି ବାନ୍ଧିଥାନ୍ତି  । ତିନି ରଥର କୋଣ ଗୁଜ, ପଟ୍ଟ ଗୁଜ,ଖମ୍ବି, ନାଟଗୋଡ,ତାରି ପରିଚ୍ଛା, ସିଂହାସନ, ପ୍ରଭା ଓ ମୁହାଁଟରେ ଖୋଦେଇ କରନ୍ତି । ରଥରେ ଘୋଡା ଯୋଚିବା ଓ ଖୋଲିବା ମଧ୍ଯ  କରିଥାନ୍ତି ।