ପିସିସି ସଭାପତି ହେବା ପରେ ଶରତଙ୍କ ପ୍ରତିକ୍ରିୟା, ସବୁଠି ସକ୍ରୀୟ ହେବେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନୂତନ ପିସିସି ସଭାପତି ଭାବେ ନାଁ ଘୋଷଣା ହେବା ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ  । କଂଗ୍ରେସର ନୂତନ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ  ।  ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରାଯିବ । ଗାଁରୁ ଭୁବନେଶ୍ୱର ସମସ୍ତ କର୍ମୀଙ୍କୁ ସାଥିରେ ନେଇ କାର୍ଯ୍ୟ କରାଯିବ । ୨୦୨୪ରେ କଂଗ୍ରେସ ସଂଗଠନକୁ ଚଳଚଞ୍ଚଳ କରିବା ସହ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ସୋମବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।  ନୂଚନ ଭାବେ ଓଡିଶା ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଛି ଦଳ । ୧୮ ବର୍ଷ ପରେ ପୁଣି ହାଇକମାଣ୍ଡ ତାଙ୍କୁ ଓଡ଼ିଶା ପିସିସି ମଙ୍ଗୁଆଳ କରିଛନ୍ତି । ବିଧିବଦ୍ଧ ଭାବେ ଦ୍ୱିତୀୟ ଥର ପାଇଁ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛି ଏଆଇସିସି । ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଦାୟିତ୍ୱ  ତୁଲାଇ ସାରିଛନ୍ତି ଶରତ ପଟ୍ଟନାୟକ ।

ପୂର୍ବରୁ ଯୁବ କଂଗ୍ରେସର ସଭାପତି ହେବା ସହ ଜାତୀୟ ପ୍ରଚାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଶରତ । ଦୁଇଥର ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । 1991ରୁ 1996 ସେ ବଲାଙ୍ଗୀରରୁ ସାଂସଦ ଓ ୧୯୯୬ରୁ ୯୮ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ । କଂଗ୍ରେସକୁ ସୁଦୃଢ କରିବା ସହ ଆଗାମୀ ଦିନରେ ରାଜ୍ୟରେ ଦଳ ବିଜେଡି ସହ ପ୍ରତିଦ୍ୱନ୍ଦିତା କରିବା ବୋଲି ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଶରତ ପଟ୍ଟନାୟକ  ।