ଜାନୁଆରୀ ୧୫ରୁ ରାଉରକେଲାରେ ‘ସରସ ମେଳା’, ଢୋକ୍ରା କାଷ୍ଟିଙ୍ଗକୁ କାଶ୍ମୀର ଶଲ୍‌ କିଣିବ ମନ

ରାଉରକେଲା: ହକି ବିଶ୍ୱକପ୍ ଅବସରରେ ରାଉରକେଲା ଭଞ୍ଜଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ସରସ ମେଳା’ ଆୟୋଜନ କରାଯିବ। ଜାନୁଆରୀ ୧୫ରୁ ୨୭ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ମେଳା ଚାଲିବ। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବା ସହ ବିକ୍ରି କରିବାର ସୁଯୋଗ ପାଇପାରିବେ ବୋଲି ପ୍ରଶାସନ ସୂଚନା ଦେଇଛି।

୧୩ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୨୫୦ଟି ଷ୍ଟଲ ପଡ଼ିବ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଜାତୀୟ ସ୍ତରର ମେଳା ଆୟୋଜନ କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ସରସ ମେଳାର କିପରି ଅଧିକ ପ୍ରଚାର ପ୍ରସାର ହୋଇପାରିବ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି  ।

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ମେଳା ଆୟୋଜନ କରାଯାଉଛି। ଏଥିରେ ସୁନ୍ଦରଗଡ଼ ସହିତ ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସାମିଲ ହେବେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟେରାକୋଟା ସାମଗ୍ରୀ, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏଠାରେ ବିକ୍ରୟ ହୋଇପାରିବ।

ସେହିପରି ଉତ୍ତରପ୍ରଦଶର କାଗଜ ପ୍ରସ୍ତୁତ ସାମଗ୍ରୀ, ଆସାମ ଓ ତ୍ରିପୁରାର ବେତ ଓ ବାଉଁଶ ପ୍ରସ୍ତୁତ ସାମଗ୍ରୀ, ମଣିପୁର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ ଓ କଶ୍ମୀରର ଉଲ୍‌ ପୋଷାକ, ପଶ୍ଚିମବଙ୍ଗର ଝୋଟ ପ୍ରସ୍ତୁତ ସାମଗ୍ରୀ, ମଣିପୁରର ଶୁଖିଲା ଫୁଲ, ଆନ୍ଧ୍ରପ୍ରଦେଶ ଓ କେରଳର ପ୍ରସିଦ୍ଧ ହସ୍ତତନ୍ତ ସାମଗ୍ରୀ ଏହି ସରସ ମେଳାର ମୁଖ୍ୟ ଆକର୍ଷଣ ପାଲଟିବ।

ମେଳାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରର ପ୍ରସିଦ୍ଧ କଳାକାରମାନେ ଏଥିରେ ସାମିଲ ହେବେ। ଓଡ଼ିଶା ସହିତ ବିଭିନ୍ନ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟର ଝଲକ୍‌ ଦେଖିବାକୁ ମିଳିବ।

ହକି ପୁରୁଷ ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି। ମେଳାକୁ ଆସୁଥିବା ଲୋକମାନେ ଯେପରି ହକି ବିଶ୍ୱକପର ସିଧାପ୍ରସାରଣ ଦେଖିପାରିବେ ସେନେଇ ବିଶେଷ ବ୍ୟବସ୍ଥା କରାଯାଉଛି। ସାଧାରଣ ଲୋକଙ୍କ ପାଇଁ ମେଳା ପରିସରରେ ସେଲଫି ପଏଣ୍ଟ ଏବଂ ସାନ ସାନ ପିଲାଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ବିଭିନ୍ନ କର୍ମଶାଳା ଆୟୋଜନ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଓରମାସର ଡେପୁଟି ସିଇଓ କେଶବ ଝା, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମାଫାତିମା ଏକ୍କା ଯୋଗ ଦେଇଥିଲେ।

ନଜର ପକାନ୍ତୁ