ସରପଞ୍ଚଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ: ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ ପାଇଁ ଦେଲେ ପରାମର୍ଶ

1 min read

ଭୁବନେଶ୍ୱର: ସରପଞ୍ଚଙ୍କୁ ଦାୟିତ୍ୱର ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟ ରାଜ୍ୟରୁ ଗାଁକୁ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା ଏବଂ ସେମାନଙ୍କର ରହିବା, ଖାଇବା, ଚିକିତ୍ସାର ଉଚିତ ବ୍ୟବସ୍ଥା କରିବା ସହିତ  ଗାଁରେ କରୋନାକୁ ପଶିବାକୁ ଦେବେ ନାହିଁ ବୋଲି ମଧ୍ୟ ସେମାନେ ଶପଥ ନେଇଛନ୍ତି ସରପଞ୍ଚ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ସରପଞ୍ଚମାନେ  ବ୍ଳକ୍‌ ସ୍ତରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ ।  ସୂଚନା ଯୋଗ୍ୟ ନିକଟରେ ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ  ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୂରା ଭରସା ରହିଛି । ସେମାନେ ଯଦି କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ, ତେବେ ଗାଁରେ କରୋନା ପଶିପାରିବ ନାହିଁ । ସରପଞ୍ଚମାନଙ୍କୁ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇ ପୂରା ସରକାର ଓ ସରକାରୀ କଳ ସେମାନଙ୍କ ସହିତ ଏଥିପାଇଁ ସବୁବେଳେ ରହିଛି ବୋଲି ସେ କହିଥିଲେ ।

କୋରାପୁଟ ସଦର ବ୍ଳକ୍‌, କେନ୍ଦ୍ରାପଡ଼ା ସଦର ବ୍ଳକ୍, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଳକ୍, ସମ୍ୱଲପୁର ଧାନକଉଡା ବ୍ଳକ୍‌, ବରଗଡ଼ର ବର୍ଦୋଲ ଏବଂ ଭଦ୍ରକର ବାସୁଦେବପୁର ବ୍ଳକର ବିଭିନ୍ନ ସରପଞ୍ଚମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ସରପଞ୍ଚମାନେ ସେମାନଙ୍କ ପଞ୍ଚାୟତରେ କିଭଳି ପ୍ରସ୍ତୁତି ଜାରି ରହିଛି, କ୍ୱାରେଣ୍ଟାଇନ୍‌ ସେଣ୍ଟରରେ କିଭଳି ବ୍ୟବସ୍ଥା କରାଯାଇଛି ତଥା ଏ ସମ୍ପର୍କିତ ଅନ୍ୟାନ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ ।

୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସୁଚିନ୍ତିତ ତଥା ବାସ୍ତବବାଦୀ ପରାମର୍ଶ ଦେଇଥିଲେ ।

 

 

 

Leave a Reply