ବିଳମ୍ବିତ ରାତିରେ ସରପଞ୍ଚଙ୍କୁ ଘର ଆଗରେ ବୀଭତ୍ସ ହତ୍ୟା

1 min read

ନୟାଗଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କୁ ହତ୍ୟା । ବିଳମ୍ବିତ ରାତିରେ ଖଣ୍ଡପଡ଼ା ଥାନା ଢୋଲମରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀ, ସ୍ତ୍ରୀଙ୍କ ଘରୋଇ କଳି ଯୋଗୁଁ ବଳି ପଡ଼ିଛନ୍ତି ସରପଞ୍ଚ ସୁଶାନ୍ତ ବେହେରା । ଢୋଲମରା ଗାଁର କୁଳମଣି ସ୍ୱାଇଁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା । ବହୁବାର ସରପଞ୍ଚ ଥାନାରେ ଦମ୍ପତିଙ୍କ କଳହର ଆପୋଷ ସମାଧାନ କରିଛନ୍ତି । ଗତକାଲି କୁଳମଣି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସହ ମାଡ଼ପିଟି ହୋଇଥିଲେ ।

ଏନେଇ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ପରେ କୁଳମଣିଙ୍କୁ ଖୋଜିବା ପାଇଁ ପୋଲିସ ଗାଁକୁ ଆସିଥିଲା । ସ୍ତ୍ରୀକୁ ସରପଞ୍ଚ ସାହାଯ୍ୟ କରି ପୋଲିସ ପଠାଇଥିବା ସନ୍ଦେହ କରିଥିଲେ କୁଳମଣି । ସରପଞ୍ଚ ରାତିରେ ଅଫିସ୍ କାମ ସାରି ଫେରିବା ବେଳେ କୁଳମଣି ତାଙ୍କୁ ଆକ୍ରମଣ କରିଥିଲେ । ରାତି ପ୍ରାୟ ୧୧ଟା ବେଳେ ସରପଞ୍ଚଙ୍କୁ ଘରେ ଆଗରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ମୁଣ୍ଡ ଓ ପିଠିକୁ ଫାର୍ସାରେ ହାଣିବା ପରେ କୁଆଡ଼େ ଗାଏବ ହୋଇଯାଇଥିଲେ କୁଳମଣି । ସ୍ଥାନୀୟ ଲୋକ ସୁଶାନ୍ତଙ୍କୁ ସଙ୍ଗେ ସଙ୍ଗେ ଗଣିଆ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ଫେରାର ଥିବାବେଳେ ଖଣ୍ଡପଡ଼ା ଥାନା ପୋଲିସ ହତ୍ୟାକାଣ୍ଡର ତଦନ୍ତ କରୁଛି ।

Leave a Reply