ଦ୍ୱିତୀୟ ବିବାହ କରି ସରପଞ୍ଚଙ୍କ ପଦବୀ ଗଲା

ବୌଦ୍ଧ: ଦ୍ୱିତୀୟ ବିବାହ କରିବାରୁ ସରପଞ୍ଚ ନିଲମ୍ବିତ । ବାହାଘର ନିଶା ପାଇଁ ଫସିଲେ ସରପଞ୍ଚ ମହାଶୟ । ସରପଞ୍ଚ ହେବା ପୂର୍ବରୁ ଜଣଙ୍କୁ ଏବଂ ସରପଞ୍ଚ ହେବା ପରେ ଆଉ ଜଣଙ୍କୁ ବିବାହ କରିଥିଲେ । ଏଭଳି ଅଭିଯୋଗ ପରେ ସରପଞ୍ଚଙ୍କୁ ତାଙ୍କ ଦାୟିତ୍ୱରୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ । ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ ଅଭିଯୋଗରେ ଗତ ୨୦୧୯ ଡିସେମ୍ବର ୩୦ରେ କମିଶନରେଟ ପୋଲିସ ଗିରଫ କରିଥିଲା। ଏବେ ସେ ଝାରପଡା ଜେଲରେ ରହିଛନ୍ତି। ଏନେଇ ରାଜ୍ୟସରକାର ବୌଦ୍ଧ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ମାଗିଥିଲେ ।

ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଯାହାକୁ ଆଧାର କରି ରାଜ୍ୟ ସରକାର ଅନ୍ତର୍ଯ୍ୟାମୀଙ୍କୁ ମୁଣ୍ଡିପଦର ସରପଞ୍ଚ ପଦବୀରୁ ନିଳମ୍ବନ କରିଛନ୍ତି। ସରପଞ୍ଚ ହେବା ପୂର୍ବରୁ ଅନ୍ତର୍ଯ୍ୟାମୀ ନିଜ ଗାଁରେ ଏକ ଆଶ୍ରମ କରିଥିଲେ । ଏହି ସମୟରେ ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବତୀଙ୍କ ସହ ତାଙ୍କ ନିବିଡ଼ତା ବଢିଥିଲା। ଉଭୟେ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ। ସରପଞ୍ଚ ହେବା ପରେ ସ୍ଥାନୀୟ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଦ୍ଵିତୀୟ ବିବାହ କରିଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ତାଙ୍କୁ ବୗଦ୍ଧ ପୋଲିସ ସହାୟତାରେ କମିଶନରେଟ ପୋଲିସ ଗିରଫ କରିଥିଲା । ଏବେ ସେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।

Leave a Reply