ସାରା ଦୁନିଆ ବାଲାଟ ପେପରରେ ଭୋଟ୍ ଦେଉଛି, ଆମେ କାହିଁକି ଇଭିଏମରେ ଭୋଟ୍ ଦେଉଛେ : ଶରଦ ପାଓ୍ବାର

ନନ୍ଦିଘୋଷ ବ୍ୟୁରୋ: ଇଭିଏମରେ ବ୍ୟାପକ ତୃଟି । ଇଭିଏମର ଅପବ୍ୟହାର କରି ନିର୍ବାଚନୀ ବୈତରଣୀ ପାର ହେଉଛି ବିଜେପି । ଏଭଳି ଅଭିଯୋଗ ବିରୋଧୀମାନେ ବାରମ୍ବାର ଆଣୁଛନ୍ତି । ତେବେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏନସିପିର ପ୍ରତିଷ୍ଠାତା ତଥା ମହାରାଷ୍ଟ୍ରର ଜଣାଶୁଣା ରାଜନେତା ଶରଦ ପାଓ୍ବାର । ସେ କହିଛନ୍ତି କି, ସାରା ଦୁନିଆ ଯେତେବେଳେ ବାଲାଟ ପେପରରେ ଭୋଟ ଦେଉଛି ଆମେ କାହିଁକି ଇଭିଏମରେ ଭୋଟ ଦେଉଛେ । ବଡ଼ ବଡ଼ ଦେଶର ଉଦାହରଣ ମଧ୍ୟ ଦେଇଛନ୍ତି ଶରଦ । ତେବେ ମହାରାଷ୍ଟ୍ରର ନିର୍ବାଚନରେ ପରାଜୟ ପରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶରଦ ପାଓ୍ବାର । ସେ ସୋଲାପୁରର ମର୍କରବାଡ଼ିରେ ପହଞ୍ଚିଛନ୍ତି ।

ତେବେ ଇଏ ହେଉଛି ସେହି ଗାଁ, ଯେଉଁଠାରେ ଲୋକେ ଇଭିଏମରେ ଭୋଟି ନଦେଇ ବାଲାଟ ପେପରେ ଭୋଟ ଦେବାକୁ ଦାବି କରିଥିଲେ । ମାତ୍ର ଏଠାରେ ପୋଲିସ ଅଟକାଇବା ପରେ ଭୋଟ ଗ୍ରହଣ ହୋଇନାହିଁ । ଯାହାକୁ ନେଇ ଶରଦ ପାଓ୍ବାର ଏଭଳି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ଏ ଗାଁ ସମ୍ପର୍କରେ ଦୁଇଦିନ ହେବ ସଂସଦରେ ମଧ୍ୟ ଆଲୋଚନା ହେଉଛି । ଏଠାକାର ଲୋକେ ବେଶ ଭଲଭାବେ ସବୁ ଜାଣନ୍ତି । ତେବେ ଶରଦ ପାଓ୍ବାର ଦାବି କରିଛନ୍ତି କି, ବାଲାଟ ପେପରରେ ଭୋଟ ଗ୍ରହଣ ହୋଇଥିଲେ ତାଙ୍କ ଦଳକୁ ବହୁମତ ମିଳିଥାନ୍ତା ।

ସେପଟେ ଶରଦ ପାଓ୍ବାରଙ୍କ ଯୁକ୍ତିକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି କି, ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଶରଦ । ଲୋକସଭା ନିର୍ବାଚନ ସମୟରେ ଯେତେବେଳେ ଆମ ଦଳ କମ ଭୋଟ ପାଇଥିଲା ଆମେ ଏହାକୁ ନେଇ ପ୍ରଶ୍ନ ଉଠାଇନଥିଲୁ । କିନ୍ତୁ ପରାଜୟକୁ ବରଣ କରିନପାରି ଏଭଳି କହୁଛନ୍ତି ବରିଷ୍ଠ ନେତା । ମହାରାଷ୍ଟ୍ର ବିଜେପି ସଭାପତି ମଧ୍ୟ ସମାନ କଥା କହିଛନ୍ତି । ସେପଟେ କିନ୍ତୁ ଶରଦ ପାଓ୍ବାର ଆମେରିକା ଏବଂ ବ୍ରିଟେନ ଭଳି ଦେଶର ଉଦାହରଣ ଦେଇଛନ୍ତି । ଆଉ କହିଛନ୍ତି କି, ଏଭଳି ବିକଶିତ ଦେଶମାନଙ୍କରେ ଆଜି ମଧ୍ୟ ବାଲାଟ ପେପରେ ନିର୍ବାଚନ ହେଉଛି । ଆମର କାହିଁକି ଇଭିଏମରେ ଭୋଟ୍ ଗ୍ରହଣ ହେଉଛି ।