ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ ସପ୍ତରଙ୍ଗ-୨୦୨୩ ମହାସମାରୋହରେ ଆୟୋଜିତ

1 min read

କାନବେରା: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ; ଓରିଓଜ ଇଙ୍କ ଦ୍ଵାରା ଏହାର ଦଶମ ଦ୍ଵିବାର୍ଷିକ ଅଧିବେଶନ,” ସପ୍ତରଙ୍ଗ-୨୦୨୩” ମହାସମାରୋହରେ ଆୟୋଜନ କରାଯାଇଛି । ସମାବେଶରେ ଅଷ୍ଟ୍ରେଲିଆର ସମସ୍ତ ରାଜ୍ୟରୁ ଓଡ଼ିଆମାନେ ସେମାନଙ୍କର ପରିବାର ଓ ବନ୍ଧୁବାନ୍ଧବମାନଙ୍କ ସହିତ ଯୋଗ ଦେଇଥିଲେ । ଘର ବାହାରେ ଗୋଟିଏ ଘରେ ଏକଜୁଟ ହୋଇ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ଐତିହ୍ୟ ଏବଂ ସଶକ୍ତ ଭାତୃତ୍ବର ପରାକାଷ୍ଠାକୁ ପାଳନ କରିବାର ସ୍ମୃତି ନିଆରା ଏବଂ ଅବିସ୍ମରଣୀୟ ଥିଲା ।

ମହୋତ୍ସବ ସ୍ଥଳ କାନବେରାର ବଣ, ଜଙ୍ଗଲ, ବୃକ୍ଷ, ଲତା, ପାହାଡ, ପର୍ବତ ତଥା ଜଳପ୍ରପାତ ଘେରା ଓ ସବୁଜିମା ଭରା ସୁନ୍ଦର, ସୁଶୋଭିତ ଏବଂ ସୁରମ୍ୟ ଗ୍ରୀନ ହିଲ୍ସ ସେଣ୍ଟର ଥିଲା । ହସ, ମଜା, ମଜଲିସ, କୌତୁକ ଓ ମଉଛବ ବନାଇବା ତଥା ଶାରୀରିକ ଏବଂ ମାନସିକ ସ୍ତରର ସୁସ୍ଥତାକୁ ପୁନଉଜ୍ଜୀବିତ ଓ ଉତଫୁଲ୍ଲିତ୍ତ କରିବା ପାଇଁ ଏହି ସମ୍ମିଳନୀ ସଠିକ୍ ସୁଯୋଗ ଆଣିଦେଇଥିଲା। ବିଶେଷକରି କରୋନାର ପ୍ରାଦୁର୍ଭାବ ଯୋଗୁଁ ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବାରୁ ଅଂଶ ଗ୍ରହଣକାରୀ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ ହୋଇଥିଲା ।

ସପ୍ତରଙ୍ଗ-୨୦୨୩କୁ ଭାରତୀୟ ହାଇକମିଶନର ପ୍ରତିନିଧି ନରେନ୍ଦ୍ର ରଣା ଏବଂ ଫିନାକ୍ଟର ସଭାପତି ଶାନ୍ତି ରେଡ୍ଡୀ ଉଦଘାଟନ କରିଥିଲେ । ଏହାପରେ ଓରିଓଜର ନବନିର୍ବାଚିତ ସଭାପତି ଡଃ ମନୋଜ ନାୟକ ଏବଂ ନୂଆ କାର୍ଯ୍ୟକାରୀ କମିଟି,ବିଦାୟୀ ସଭାପତି ଡଃ ନଳିନୀ ପତି ଓ ତାଙ୍କର ଟିମଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ବୈଠକକୁ ସମ୍ବୋଧନ କରି ଡଃ ପତି ତାଙ୍କର ତିନି ବର୍ଷର କାର୍ଯ୍ୟକାଳ ମଧ୍ୟରେ ସମଗ୍ର ଓରିଓଜ ପରିବାର ପକ୍ଷରୁ ଯେଭଳି ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ଓ ସହଯୋଗ ଲାଭ କରିଛନ୍ତି, ସେଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ମହାମାରୀର ପ୍ରକୋପ ସତ୍ତ୍ୱେ ତାଙ୍କର କମିଟି ଓରିଓଜକୁ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନ କରିବା ସହିତ ମାତୃପ୍ରଦେଶ ଓଡ଼ିଶାରେ ମଧ୍ୟ ସୁଖ୍ୟାତି ଲାଭ କରାଇପାରିଥିବା ଡଃ ପତି ପ୍ରକାଶ କରିଥିଲେ ।

ସଭାରେ ଅଭିଭାଷଣ ପ୍ରଦାନ କରି ଓରିଓଜର ସଭାପତି ଡଃ ମନୋଜ ନାୟକ ସପ୍ତରଙ୍ଗର ଅଭୂତପୂର୍ବ ସଫଳତା ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ। ବିସ୍ତୃତ ଭୌଗଳିକ ଇଲାକାରେ ପରିବ୍ୟାପ୍ତ ସମଗ୍ର ଅଷ୍ଟ୍ରେଲିଆ ମହାଦେଶର ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ମନ, ଏକ ପ୍ରାଣ ଏବଂ ଏକନିଷ୍ଟ ଭାବନା ଜାଗ୍ରତ କରାଇବା ତଥା ଏକ ବୃହତ୍ ପରିବାର ଭଳି ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ପାରିବା ଦ୍ଵାରା ଏହି ମିଳନ ପର୍ବର ଅସଲ ଉଦ୍ଦେଶ୍ୟ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ ।

ସବୁଠୁ ପ୍ରମୁଖ ବିଷୟ ହେଲା ଯେ ଆମର ବାଳୁତ ଓ ଯୁବ ସଦସ୍ୟ ମାନେ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବାରେ ଯେଉଁ ଭଳି ଭାବରେ ଅହେତୁକ ଆଗ୍ରହ ଓ ଅତୁଳନୀୟ ଆବେଗ ଦେଖାଇଲେ ତାହା ଦର୍ଶନୀୟ ବିଷୟବସ୍ତୁ ଥିଲା ବୋଲି ଡଃ ନାୟକ କହିଥିଲେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅସୀମ କୃପା ଫଳରେ କାନବେରାର ଟିମ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଥିବା ସେ ସୂଚାଇଥିଲେ। ସମ୍ମିଳନୀର ସଫଳତା ପାଇଁ ଡଃ ନାୟକ ପ୍ରତ୍ୟେକ ରାଜ୍ୟର କର୍ମକର୍ତ୍ତା, ସାଂସ୍କୃତିକ ମୁଖ୍ୟ ଏବଂ ପୂର୍ବତନ ତଥା ବର୍ତ୍ତମାନର କାର୍ଯ୍ୟକାରୀ କମିଟିର ସଦସ୍ୟଗଣଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ଓରିଓଜର ସାଙ୍ଗଠନିକସ୍ଥିତିକୁ ସୁଦୃଢ଼ କରିବା ନେଇ ଫଳପ୍ରସୂ ଯୋଗଦାନ ପାଇଁ ସଂସ୍ଥାର ବରିଷ୍ଠ ସଦସ୍ୟ ଶ୍ରୀ ଚାରୁ ଚନ୍ଦ୍ର ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ଓଡ଼ିଶାର ଐତିହ୍ୟ ଓ ଇତିହାସକୁ ଆଧାର କରି ପରିକଳ୍ପନା କରାଯାଇଥିବା କୁଇଜ୍ ପ୍ରତିଯୋଗିତାକୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ। ସେହିପରି ଓରିଓଜର ଯୁବ ବାହିନୀ ଦ୍ଵାରା ଚଳାଯାଇଥିବା ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା । ସପ୍ତରଙ୍ଗ-୨୦୨୩ର ପ୍ରଧାନ ଆକର୍ଷଣ ବିବିଧ ରଙ୍ଗାରଙ୍ଗ ସାଂସ୍କୃତିକ ସଂରଚନା ଥିଲା ।

ଏ ମଧ୍ୟରେ ଭିନ୍ନ ଭିନ୍ନ ସ୍ୱାଦର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ବୟସର କଳାକାରମାନଙ୍କୁ ନେଇ ପରିବେଷିତ ୫୫ ଟି ମନୋରଞ୍ଜକ ପ୍ରସ୍ତୁତି ଅନ୍ତର୍ଭୁକ୍ତ ଥିଲା। ପିଲା ମାନଙ୍କ ଦ୍ଵାରା ମଞ୍ଚ ଉପରେ ପ୍ରଦର୍ଶିତ ଶ୍ରେଷ୍ଠ ସୃଜନଶୀଳ କଳା ଚାତୁର୍ଯ୍ୟର ଅନୁଭବ ଖୁବ ରୋମାଞ୍ଚକ ଓ ଉପଭୋଗ୍ୟ ଥିଲା। ବିଭିନ୍ନ ପ୍ରଦେଶର ସାଂସ୍କୃତିକ ମୁଖ୍ୟ ମାନେ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ। ଓଡ଼ିଶାରୁ ଆସିଥିବା ପରିଣତ ବୟସର ମାତାପିତା ଓ ପରିବାର ସଦସ୍ୟ ମାନେ ସମ୍ମିଳନୀର ବିଭିନ୍ନ ଉପସ୍ଥାପନାରେ ବଢ଼ିଚଢ଼ିକି ଭାଗ ନେବା ସାଙ୍ଗକୁ ପୁରା ଆସର କାଳରେ ଖୁବ୍ ଉତ୍ସାହିତ ଥିବା ନଜର କରାଯାଇଥିଲା । ତିନି ଦିନର ମହା ଅଧିବେଶନ ମଧ୍ୟରେ ଆଗନ୍ତୁକ ପ୍ରତିନିଧି ମାନଙ୍କୁ ନାନା କିସମର ପାରମ୍ପରିକ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା ।