ଆଖି ବୁଜିଲେ କିମ୍ବଦନ୍ତୀ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା

1 min read

ମୁମ୍ବାଇ: ଆଉ ନାହାନ୍ତି କିମ୍ବଦନ୍ତୀ ସଂଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମା । ୮୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ମହାନ ସଂଗୀତଜ୍ଞ । ସନ୍ତୁର ବାଦନ ପାଇଁ ଦେଶ ବିଦେଶରେ ବେଶ୍ ପ୍ରସିଦ୍ଧି ହାସଲ କରିଥିଲେ ପଣ୍ଡିତ ଶିବକୁମାର ଶର୍ମା । ସନ୍ତୁରର ଲୋକପ୍ରିୟତା ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି କିଛି ହିନ୍ଦୀ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବକୁମାର ଶର୍ମା । ସେମାନଙ୍କ ଯୋଡ଼ି ଶିବ-ହରି ନାମରେ ବିଖ୍ୟାତ ଥିଲା । ସିଲସିଲା, ଚାନ୍ଦନୀ ଓ ଡର୍ ଭଳି ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଶିବ-ହରି ।

୧୯୫୬ରେ ଫିଲ୍ମ ଝନକ ଝନକ ପାୟଲ ବାଜେରେ ପଣ୍ଡିତ ଶିବକୁମାର ଶର୍ମା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଦେଇଥିଲେ । ତେବେ ସନ୍ତୁର ବାଦନ କ୍ଷେତ୍ରରେ ହିଁ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିଲେ ପଣ୍ଡିତ ଶିବ କୁମାର ଶର୍ମା । ୧୯୯୧ରେ ତାଙ୍କୁ ପଦ୍ମଶ୍ରୀ ଓ ୨୦୦୧ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।