ସାନ୍ତାଳୀ-ଓଡିଆ-ଇଂରାଜୀ ଶବ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଆହୁରି ସମୃଦ୍ଧ ହେବ ସାନ୍ତାଳୀ ଭାଷା । ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ବିଭିନ୍ନ ଜନଜାତି ଭାଷାରେ ପ୍ରାଥମିକ ଶିକ୍ଷାର ୨୧ଟି ଅତିରିକ୍ତ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଛି । ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ମଧ୍ୟ ଲୋକାର୍ପଣ କରାଯାଇଛି । ଏହି ଅଭିଧାନ ସାନ୍ତାଳୀ ଭାଷାକୁ ଆହୁରି ସମୃଦ୍ଧ କରିବ ଏବଂ ସାନ୍ତାଳୀ ଭାଷା ଶିକ୍ଷା କରିବା ପାଇଁ ଅନ୍ୟ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ ।

ପ୍ରାଥମିକ ଶିକ୍ଷା ପାଇଁ ଅତିରିକ୍ତ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ନିଷ୍ଠାର ସହ କାମ କରିଥିବା ସାନ୍ତାଳୀ ଭାଷାବିତ୍, ଗବେଷକ ଏବଂ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ବିଶିଷ୍ଟ ସାନ୍ତାଳୀ ଭାଷାବିତ୍ ଚୈତନ୍ୟ ପ୍ରସାଦ ମାଝୀ ଏହି ଶଦ୍ଦକୋଷକୁ ପ୍ରସ୍ତୁତ କରିଛନ୍ତି । ସାନ୍ତାଳୀ ଭାଷା ଆମ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ହୋଇଛି । ସାନ୍ତାଳୀ ସହିତ ଅନ୍ୟ ଜନଜାତି ଭାଷାରେ ଶଦ୍ଦକୋଷ ପ୍ରକାଶନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି ।

ବିଭାଗ ପକ୍ଷରୁ ଆଉ ୧୧ଟି ଜନଜାତି ଭାଷାରେ ପ୍ରାଥମିକ ଅତିରିକ୍ତ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ କାର୍ଯ୍ୟ ଜାରି ରହିଛି । ଜନଜାତି ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଗ୍ରହ ଓ ସଚେତନା ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଏସବୁକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଅନ୍ ଲାଇନରେ ଉପଲବ୍ଧ ହେବ। ବିଭିନ୍ନ ଜନଜାତି ଭାଷାରେ ସାର୍ଟିଫିକେଟ କୋର୍ସ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଅନ୍ୟପଟେ ପ୍ରତି ଜିଲ୍ଲାରେ ଭାଷାଗତ ଗବେଷଣାଗାର ସ୍ଥାପନ କରାଯିବ । ଏହାଦ୍ବାରା ଜନଜାତି ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ପାଇଁ ସୁଯୋଗ ସୃଷ୍ଟି ହେବ ।