‘Kangana Ranaut ଏପିସୋଡ ଶେଷ, ଆମ ପାଖରେ ଆହୁରି ବି କାମ ଅଛି’- ସଞ୍ଜୟ ରାଉତ

1 min read

ମୁମ୍ବାଇ: ବିଏମସି ମୁମ୍ବାଇର ପାଲି ହିଲରେ ଥିବା କଙ୍ଗନା ରାନୌତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପରେ ଶିବସେନା ବର୍ତ୍ତମାନ ନିରବତା ବଜାୟ ରଖିଛି। କଙ୍ଗନା ସହ ଜଡିତ କୌଣସି ପ୍ରସଙ୍ଗକୁ ପ୍ରାଥମିକତା ନଦେବାକୁ ଶିବସେନା ନିଷ୍ପତ୍ତି ନେଇଛି । ଏହି ସମୟରେ ଶିବସେନା ମୁଖପାତ୍ର ତଥା କଙ୍ଗନାଙ୍କ ବାକ୍ ଯୁଦ୍ଧର ମୁଖ୍ୟ ଚରିତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ଶିବସେନା ପାଇଁ କଙ୍ଗନାଙ୍କ ଏପିସୋଡ୍ ସମାପ୍ତ ହୋଇଛି। ଏଥିସହିତ ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ଯେ କଙ୍ଗନା କାର୍ଯ୍ୟାଳୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ କେହି ବି ରାଗି ନାହାଁନ୍ତି।

ଗୁରୁବାର ଦିନ ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ରାଉତ ଗଣମାଧ୍ୟମ ସହ କଥା ହୋଇଥିଲେ । ଏହି ବାର୍ତ୍ତାଳାପ ସମୟରେ ଗଣମାଧ୍ୟମ ତାଙ୍କୁ କଙ୍ଗନା ରାନୌତ ବିଷୟରେ ପ୍ରଶ୍ନ କରିଥିବାବେଳେ ରାଉତ କହିଛନ୍ତି ଯେ, ଆମେ ସେହି ସମସ୍ୟାକୁ ଭୁଲି ଯାଇଛୁ ଏବଂ କଙ୍ଗନା ରାନୌତଙ୍କ ଏପିସୋଡ୍ ଆମ ପାଇଁ ଶେଷ ହୋଇଯାଇଛି । ଆମେ ବର୍ତ୍ତମାନ ଆମର ଦୈନନ୍ଦିନ, ସରକାରୀ ଏବଂ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛୁ । ଉଦ୍ଧବ ଠାକରେ ଏବଂ ତାଙ୍କ ମଧ୍ୟରେ କଣ ଘଟିଲା ସେନେଇ ପ୍ରଶ୍ନ ଉପରେ ରାଉତ କହିଛନ୍ତି ଯେ ଦଳ ସହ ଜଡିତ କାର୍ଯ୍ୟ ସମ୍ପର୍କରେ ମୁଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ।

ଅନ୍ୟପଟେ ଏହି ମାମଲାରେ କଙ୍ଗନା ବିଏମସି ବିରୋଧରେ ଦେଇଥିବା ଆବେଦନର ଆଜି ଶୁଣାଣି ହେବାର ଥିଲା, ଯାହାକୁ ହାଇକୋର୍ଟ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି । କୋର୍ଟ କଙ୍ଗନାଙ୍କ ଓକିଲକୁ କହିଛନ୍ତି ଯେ, ସେ ଆବେଦନକୁ ଖୁବଶୀଘ୍ର ଦେଇଛନ୍ତି ଏବଂ ଏହାକୁ ସମୟ ନେଇ ଭଲ ଭାବରେ ଦାଖଲ କରିବା ପାଇଁ କୁହାଯାଇଛି । ଶୁଣାଣି ଘୁଞ୍ଚିବା ପରେ କଙ୍ଗନା ନିଜ ଅଫିସ ଦେଖିବା ପାଇଁ ପହଞ୍ଚିଥିଲେ । ଅଫିସର ଅବସ୍ଥା ଦେଖି କଙ୍ଗନା ଖିୁବ ଦୁଃଖିତ ହୋଇଥିଲେ ।

ଅଫିସର ଅବସ୍ଥା ଦେଖି ଦୁଃଖି ହୋଇଥିଲେ କଙ୍ଗନା

କଙ୍ଗନା ବୁଧବାର ମୁମ୍ବାଇ ପହଞ୍ଚିବା ପରେ ଗୁରୁବାର ପ୍ରଥମଥର ଘରୁ ବାହାରି ସିଧା ନିଜ ଅଫିସରେ ପହଞ୍ଚିଥିଲେ । ସେଠି ଅଫିସର ଅବସ୍ଥା ଦେଖି କଙ୍ଗନା ଖୁବ ଦୁଃଖିତ ହୋଇଥିଲେ । କଙ୍ଗନାଙ୍କ ଗାଡ଼ି ଯେତେବେଳେ ଅଫିସ ପହଞ୍ଚିଥିଲା, ପ୍ରଥମେ ତାଙ୍କ ଭଉଣୀ ରଙ୍ଗୋଲୀ ଗାଡ଼ିରୁ ବାହାରି ଅଫିସ ଭିତରକୁ ଯାଇଥିଲେ । ଅନ୍ୟପଟେ କଙ୍ଗନା କିଛି ସମୟ ପାଇଁ ଗାଡ଼ିରେ ବସି ଅଫିସର ଭଗ୍ନାବଶେଷକୁ ଚାହିଁ ରହିଥିଲେ । ଏହାପରେ କଙ୍ଗନା ଗାଡ଼ିରୁ ଓହ୍ଲାଇ ସିଧା ଅଫିସ ଭିତରକୁ ଯାଇଥିଲେ । ଅଫିସର ଭଗ୍ନାବଶେଷ ଗୁଡ଼ିକୁ ଦେଖି କଙ୍ଗନାଙ୍କ ଖୁବ ନିରାଶ ହୋଇଥିଲେ । ପ୍ରାୟ ୧୫-୨୦ ମିନିଟ ସେଠାରେ ରହିବା ପରେ କଙ୍ଗନା କାହା ସହ କଥା ନହୋଇ ନିଜ ଗାଡ଼ିରେ ବସି ସିଧା ନିଜ ଘର ଅଭିମୂଖେ ଯାଇଥିଲେ ।

କୋର୍ଟ ଆବେଦନ ଉପରେ ଶୁଣାଣି ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି

ବିଏମସି ତାଙ୍କ ଅଫିସ ଭାଙ୍ଗିବା ବିରୋଧରେ କଙ୍ଗନା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଗୁରୁବାର ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହେବାରଥିଲା । ତେବେ କୋର୍ଟ ଶୁଣାଣିକୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । କୋର୍ଟ କଙ୍ଗନାଙ୍କ ଓକିଲ ରିଜୱାନ ସିଦ୍ଦିକିଙ୍କୁ ଏହି ଆବେଦନରେ ଅନେକ ସଂଶୋଧନ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି, ତୁମେ ଶୀଘ୍ର ଆବେଦନ କରିଛ । ଏହାକୁ ଦାଖଲ କରିବା ପାଇଁ କିଛି ସମୟ ନିଅ | ପୁନର୍ବାର ଭଲ ଭାବରେ ଏହାକୁ ଫାଇଲ୍ କରନ୍ତୁ । ୨୨ ତାରିଖ ପରେ ଏହାର ଶୁଣାଣି କରାଯିବ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୨୨ ସେପ୍ଟେମ୍ବର ସୁଦ୍ଧା ଅଫିସରେ କିଛି ଭାଙ୍ଗାରୁଜା କରାଯିବ ନାହିଁ କିମ୍ବା ଭଗ୍ନାବଶେଷ ଯୋଡ଼ାଯିବ  ନାହିଁ । କାର୍ଯ୍ୟାଳୟର ବିଦ୍ୟୁତ୍ ଏବଂ ଜଳ ପାଇପଲାଇନ କଟାଯାଇଛି ।

Leave a Reply