ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାୱତ
ମୁମ୍ବାଇ: ଆଜି ମହାରାଷ୍ଟ୍ର ନିର୍ବାଚନ ଫଳାଫଳ । ଚାଲିଛି ଭୋଟ ଗଣତି । ବିଜେପି ମେଣ୍ଟ ‘ମହାୟୁତି’କୁ ବହୁମତ ମିଳିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଗଲାଣି । ବିରୋଧୀ ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନେତା ସଞ୍ଜୟ ରାୱତ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେ କହିଛନ୍ତି ଯେ ‘‘ଏହା ମହାରାଷ୍ଟ୍ର ଲୋକଙ୍କ ମତ ନୁହେଁ । ଆମେ ମହାରାଷ୍ଟ୍ର ଲୋକଙ୍କୁ ଜାଣିଛୁ । ଏହା କେମିତି ସମ୍ଭବ ଯେ ସିନ୍ଦେଙ୍କ ସମସ୍ତ ପ୍ରାର୍ଥୀ ଜିତି ଯାଉଛନ୍ତି । ପୂର୍ବରୁ ସିନ୍ଦେ କହିଥିଲେ ଯେ ତାଙ୍କର ଜଣେ ବି ପ୍ରାର୍ଥୀ ହାରିବେନି । ଏବେ ତାହା ହେଉଛି ମଧ୍ୟ । ଏହା କେମିତି ସମ୍ଭବ । ଏହି ନିଷ୍ପତ୍ତିକୁ ନା ଆମେ ମାନିବୁ ନା ଜନତା ଗ୍ରହଣ କରିବେ । ’’
ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆମର ୪ ରୁ ୫ ସିଟ୍ ସେମାନେ ହାତେଇଥିଲେ । ଏବେବି ସେମାନେ ସେଇଆ କରୁଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାୱତ । ବିଜେପି ଏଭଳି ରଣନୀତି କରୁଛି ଯେଭଳି ମହାରାଷ୍ଟ୍ର ବିଧାନସଭାରେ କେହି ବିରୋଧୀ ନେତା ନ ରୁହନ୍ତୁ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନରେ ବହୁମତ ପାଇଁ ୧୪୫ ସିଟ୍ ହାତେଇବା ଆବଶ୍ୟକ । କିନ୍ତୁ ମହାୟୁତି ମେଣ୍ଟ ୨୦୦ରୁ ଅଧିକ ଆସନରେ ଆଗୁଆ ରହିଛି । ସେପଟେ ଏମଭିଏ ମେଣ୍ଟକୁ ମାତ୍ର ୫୦ ଆସନ ମିଳିଛି ।