ବିପର୍ଯ୍ୟସ୍ଥ କଲାଣି ତେଲଦର, ଲୋକଙ୍କ ସ୍ୱାର୍ଥ ବଦଳରେ କୁଠାର ଘାତ କରିଛି କେନ୍ଦ୍ର

ଭୁବନେଶ୍ୱର: କରୋନା ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଛଡାଇନେଇଛି ଜୀବିକା । ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ କରିଦେଇଛି । ଏତିକି ବେଳେ ୧୦୦ ଟପିଲାଣି ତୈଳଦର । ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବା ବଦଳରେ କୁଠାର ଘାତ କରାଯାଉଛି । ଯାହାକି ଜନତାଙ୍କ ପାଇଁ ଏହା ବୋଝ ଉପରେ ଲଳିତାବିଡା ସଦୃଶ ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ମାତ୍ରାଧିକ ତୈଳଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ମୁଲ୍ୟ ଆକାଶଛୁଆଁ ହୋଇଛି । ଲୋକେ ଏବେ ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି ।

ଓଡ଼ିଶାର ମାଲାକାନଗିରି ଓ କୋରାପୁଟରେ ତେଲ ଦର ୧୦୦ ପାର କଲାଣି । ମାତ୍ରାଧିକ ଟିକସ ଯୋଗୁ ଦର ବୃଦ୍ଧି ହେଉଥିବା ମନେ କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି । କେବଳ ମେ ମାସରେ ତୈଳଦର ୧୬ ଥର ବଢିଛି । ଏଭଳି ଏକ ସମ୍ବେଦନଶୀଳ ବିଷୟକୁ କରୋନା ଆଢୁଆଳରେ ଚପାଇ ଦିଆଯାଉଛି । ଦେଶର ପ୍ରମୁଖ ବିରୋଧୀ ଦଳ ମାନେ ଏହି ପ୍ରସଙ୍ଗରେ ନିରବ ରହିବା ବିଡମ୍ବନାର ବିଷୟ । କିନ୍ତୁ ଏ ପ୍ରସଙ୍ଗ ଜୀବନ୍ତ । ଜନସାଧାରଣଙ୍କ ନଜରରେ ଏହା ରହିଛି । ଆଗାମି ଦିନରେ ଏଥିପାଇଁ ‘ଏନଡିଏ’ ସରକାର ଉତ୍ତରଦାୟୀ ରହିବ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା କହିଛନ୍ତି ।

୨୦୧୪ ପୂର୍ବରୁ ପେଟ୍ରୋଲ ଡିଜେଲ ଦର ବଢୁଥିଲା । ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ । କ୍ଷମତାକୁ ଆସିଲେ ଦରଦାମ ନିୟନ୍ତ୍ରଣ କରିବୁ, ଆମ ସରକାର ଜନତାଙ୍କ ସରକାର ହେବ ବୋଲି କହୁଥିଲେ । କିନ୍ତୁ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ତେବେ ତୈଳଦର ହ୍ରାସ କରିବା ପାଇଁ ତୁରନ୍ତ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ନଚେତ୍ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

Leave a Reply