ଥମୁନି ସଞ୍ଜୌଲି ମସଜିଦ ବିବାଦ: ବେଆଇନ ନିର୍ମାଣକୁ ଭାଙ୍ଗିବା ଲାଗି ଅନୁମତି ମାଗିଲା ମସଜିଦ କମିଟି

1 min read

ନନ୍ଦିଘୋଷ ବ୍ୟୁରୋ : ସଞ୍ଜୌଲି ମସଜିଦକୁ ନେଇ ହଲଚଲ ହିମାଚଳ ପ୍ରଦେଶ। ବିବାଦର କାରଣ ସାଜିଥିବା ସିମଲା ସ୍ଥିତ ମସଜିଦର ବେଆଇନ ଅଂଶକୁ ଭାଙ୍ଗିବା ବା ସିଲ୍ କରିବାକୁ ସିମଲା ପୌର ନିଗମକୁ ଅନୁମତି ମାଗିଛନ୍ତି ମୁସଲମାନ ସମ୍ପ୍ରଦାୟ। ସେପଟେ ଆଜି ମଣ୍ଡିରେ ଏହି ପ୍ରସଙ୍ଗକୁ ନେଇ ଶହ ଶହ ଲୋକ ବିକ୍ଷୋଭ କରିଛନ୍ତି । ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପାଣି ମାଡ କରିଛି। ମସଜିଦ ନିକଟରେ ବେଆଇନ ନିର୍ମାଣକୁ କିଛି ସଂଗଠନ ବିରୋଧ କରିବା ପରେ ଏହି ଅନୁମତି ମାଗିଥିଲେ ମସଜିଦ କର୍ତ୍ତୃପକ୍ଷ। ଏହାକୁ ନେଇ ସ୍ଥିତି ବିଗିଡିବାରୁ ଗତ ମଙ୍ଗଳବାର ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ମସଜିଦର କିଛି ଅଂଶ ଭାଙ୍ଗିବାକୁ ଆମକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ମସଜିଦର ଇମାମ ଶେହଜାଦ।

ସେପଟେ ଇମାମଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି ଦେବ ଭୂମି ସଂଘର୍ଷ କମିଟି। ଆଜି ଏହି ପ୍ରସଙ୍ଗକୁ ନେଇ ୧୨ ତାରିଖରେ ସିମଳା ବ୍ଯାପାର ମଣ୍ଡଳ ଦେଇଥିବା ବନ୍ଦ ସଫଳ ହୋଇଛି। ଏହି ମସଜିଦ ୫ ମହଲା ବିଶିଷ୍ଟ ହୋଇଥିବାବେଳେ ଗତ ମାସରେ ସେଠାରେ ରହୁଥିବା କିଛି ଲୋକଙ୍କୁ ନେଇ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମସଜିଦର ଇମାମ ଶେହଜାଦ କହିଛନ୍ତି- ୧୯୪୭ରେ ଏହି ମସଜିଦ ନିର୍ମିତ ହୋଇଥିଲା ଏବଂ ୨୦୦୭ରେ ଏହାକୁ ପରିବର୍ଦ୍ଧିତ କରାଯାଇଥିଲା। ଏହାକୁ ନେଇ ୨୦୧୦ରେ ଏକ ମକଦ୍ଦମା ଦାୟର ହୋଇଥିଲା। ମାତ୍ର ପରେ ଗତ ୧୪ ବର୍ଷ ମଧ୍ଯରେ ଆଉ ୪ଟି ମହଲା ନିର୍ମାଣ କରାଯାଇଥିଲା। ଗତ ଅଗଷ୍ଟ ୩୦ରେ ମାଲ୍ଯାନ ଇଲାକାରେ ସଂଖ୍ଯାଲଘୁ ବର୍ଗର କିଛି ଲୋକ ଜଣେ ବ୍ଯବସାୟୀ ଯଶପାଲ ସିଂଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ବିବାଦ କ୍ରମଶଃ ମସଜିଦର ବେଆଇନ ନିର୍ମାଣ ପ୍ରସଙ୍ଗକୁ ନେଇ କେନ୍ଦ୍ରୀଭୂତ ହୋଇଥିଲା ଏବଂ ବେଆଇନ ନିର୍ମାଣ ଭାଙ୍ଗିବାକୁ ଦାବି ହୋଇଥିଲା। ଏପରିକି ହିମାଚଳ ଗ୍ରାମୀଣ ବିକାଶ ମନ୍ତ୍ରୀ ଅନିରୁଦ୍ଧ ସିଂ କହିଛନ୍ତି ସରକାରୀ ଜମି ଉପରେ ଏହି ମସଜିଦ ନିର୍ମିତ ହୋଇଛି ଏବଂ ୧୪ ବର୍ଷ ଧରି ମାମଲା ବିଚାରାଧୀନ ରହିଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ।