କେନ୍ଦୁଝରରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା, ରାସ୍ତା କଡରେ ଜମା ହୋଇଛି କୁଢକୁଢ ଅଳିଆ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାନଘାଗରା ପ୍ରବେଶ ପଥରେ ଅବସ୍ଥା ଶୋଚନୀୟ । ଅଳିଆ, ଆବର୍ଜନାରେ ଭରିଥିବା ଏହି ସ୍ଥାନ ପାହାଡ଼ର ଭ୍ରମ ସୃଷ୍ଟି କରୁଛି ।  ଅହରହ ଏଠାରେ ନିଆଁ ଜଳୁଥିବା ବେଳେ, ଧୂଆଁ ମଧ୍ୟ ନିର୍ଗତ ହେଇଛି । ଯାହାର ଫଳସ୍ୱରୂପ ଏଠାରେ ସବୁବେଳେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ, ପରିବେଶ ପ୍ରଦୂଷିତ ହେଉଛି । ଅଳିଆ, ଆବର୍ଜନାକୁ ଗାଈ ଗୋରୁ ଖାଇ ମୃତ୍ଯୁ ମୁଖରେ ପଡୁଛନ୍ତି । ଧୂଆଁ ପାଇଁ ଅନେକ ସମୟରେ ଏଠାରେ ଦୁର୍ଘଟଣା ମଧ୍ୟ ଘଟୁଛି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।

କେନ୍ଦୁଝରଗଡ଼ ପୌରପାଳିକାର ୨୧ଟି ୱାର୍ଡ଼ରୁ ପ୍ରତିଦିନ ବାହାରୁଛି ଟନଟନ ଅଳିଆ, ଆବର୍ଜନା । ହେଲେ, ପୌର କର୍ତ୍ତୃପକ୍ଷ ଏସବୁକୁ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନେବା ବଦଳରେ ଜାତୀୟ ରାଜପଥ କଡ଼ରେ ଫିଙ୍ଗିବାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଥିବା ବେଳେ ଶୀଘ୍ର ସମସ୍ଯାର ସମାଧାନ ପାଇଁ ଦାବି କରିଛନ୍ତି । ଅନ୍ଯପଟେ ଏକ ଜଙ୍ଗଲ ସୃଷ୍ଟି କରିବାକୁ ଥିବା ଜମିରେ ଆବର୍ଜନା ପିଂଙ୍ଗା ଯାଉଥିବା ବେଳେ ଖୁବଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧୀକାରୀ ।