ପୁରୁଷୋତ୍ତମପୁରରେ ଭୁଶୁଡିଛି ପରିମଳ ବ୍ୟବସ୍ଥା, ରାସ୍ତାରେ ପଡିଛି କୁଢକୁଢ ଅଳିଆ
1 min readବ୍ରହ୍ମପୁର : ଭୁଶୁଡି ପଡିଛି ପରିମଳ ବ୍ଯବସ୍ଥା । ରାସ୍ତା କଡରେ ପଡିଛି କୁଢକୁଢ ଅଳିଆ । ମୁକୁଳା ପଡିଛି ଡ୍ରେନ । ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ । ଏ ହେଉଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ଅବସ୍ଥା । ସହରକୁ ପ୍ରତ୍ଯେକ ଦିନ ହଜାର ହଜାର ଲୋକ ଆସିଥାନ୍ତି । ମାତ୍ର ସହରର ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ । ସହରର ଏଣେ ତେଣେ ଆବର୍ଜନା ପଡିବା ସହିତ ଡ୍ରେନ ଯାକ ସଫାସୁତରା ହେଉନଥିବାରୁ ମଶା ମାଛିଙ୍କ ସଂଖ୍ଯା ବଢିବାରେ ଲାଗିଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ପାଖରେ ଥିବା ଶୌଚାଳୟ ମଧ୍ଯ ଅପରିଷ୍କାର ହୋଇ ପଡିଛି । ଫଳରେ ମେଡିକାଲକୁ ଆସୁଥିବା ରୋଗୀଙ୍କ ସମେତ ସଂପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ସରକାରଙ୍କ ସମୟରେ ସହର ସଫାସୁତରା ରହୁଥିବା ବେଳେ ଏବେ ୫ ମାସରୁ ଅଧିକ ଦିନ ହେବ ଅଳିଆ ଆବର୍ଜନାରେ ସହର ପୋତି ହୋଇ ପଡିଛି ବୋଲି ଅଞ୍ଚଳବାସୀ କହିଛନ୍ତି ।
ଖାଲି ସେତିକି ନୁହେଁ ସହରରେ ମଶା ମାରିବା ପାଇଁ ଗ୍ଯାସର ଉପଯୋଗ କରାଯାଉନଥିବା ଅଭିଯୋଗ । ଏନେଇ ସହରବାସୀ ବାରମ୍ବାର NAC କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ଯ ଏହାର ସମାଧାନ ହୋଇପାରିନାହିଁ । ଆଗାମୀ ଦିନରେ ସହରର ସ୍ଵଚ୍ଛତା ଦିଗରେ ପଦକ୍ଷେପ ନିଆନଗଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ପୁରୁଷୋତ୍ତମପୁର ଚେୟାରମ୍ଯାନ କହିଛନ୍ତି ସହରର ପରିମଳ ବ୍ଯବସ୍ଥା ଠିକ ଥିବା ସାଙ୍ଗକୁ ଅଞ୍ଚଳରେ ମଶା ଧୂଆଁ ଗାଡି ବୁଲୁଛି । ଯଦି କେଉଁ ସାହିକୁ ମଶା ଧୂଆଁ ଗାଡି ଯାଉନାହିଁ ତାହାର ସମାଧାନ କିପରି ହୋଇପାରିବ ତାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି l ପୁରୁଷୋତ୍ତମପୁରରେ କେବେ ପରିମଳ ବ୍ଯବସ୍ଥାରେ ସୁଧାର ଆସିବ ତାହା ଉପରେ ସମସ୍ତଙ୍କ ନଜର ।