ଆଜି ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ, ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ ଦର୍ଶନ
ପୁରୀ: ଜନ୍ମବେଦୀରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ନବମୀ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କ ସନ୍ଧ୍ୟା ଦର୍ଶନ । ନବମୀ ସନ୍ଧ୍ୟା ଦର୍ଶନ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ । ତେବେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଅପରାହ୍ନ ୫ଟା ପରେ ବି ଦର୍ଶନର ସୁଯୋଗ ପାଇବେ । ଅପରାହ୍ନ ୫ଟା ପରେ ବାହୁଡା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ । ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ନେଇ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡା଼ ଯାତ୍ରାରେ ମଧ୍ଯ ସମାନ ବ୍ୟବସ୍ଥା କରାଯିବ । ଏଥିସହ ସୁନାବେଶରେ ମଧ୍ୟ ବ୍ୟାପକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ, ରୋପ୍ ବ୍ୟାରିକେଡ ବ୍ୟବସ୍ଥା ସହ ଟ୍ରାଫିକକୁ ଆହୁରି ଶୃଙ୍ଖଳିତ କରାଯିବ ।