ଧରାପଡ଼ିଲା ବାଲି ମାଫିଆଙ୍କ ଚଞ୍ଚକତା

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧରାପଡ଼ିଲା ବାଲି ମାଫିଆଙ୍କ ଚଞ୍ଚକତା । ଖାଲି ଓ୍ବାଇ-ଫର୍ମକୁ ନୁହେଁ ତହସିଲଦାରଙ୍କ ଦସ୍ତଖତକୁ ବି ଜାଲ୍ କରି ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ କରୁଛନ୍ତି ଦଲାଲ୍ । କୋଦାଳ ଥାନା ଅଞ୍ଚଳରୁ ଗିରଫ ତିନି ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସାମ୍ନାକୁ ଆସିଛି ବାଲି ଚୋରା ଚାଲାଣ ରାକେଟର ସାଂଘାତିକ ସତ । ଅଭିଯୁକ୍ତଙ୍କୁ ପ୍ରଥମ ମାମଲାରେ କୋର୍ଟ ଜାମିନ ଦେଇଥିଲେ ସୁଦ୍ଧା ଏଯାଏ ସେମାନେ ଜେଲରୁ ମୁକୁଳି ନାହାଁନ୍ତି । ସେପଟେ ନୂଆ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଗଞ୍ଜାମରେ ବାଲି ମାଫିଆ ରାଜ୍ । ନକଲି କାଗଜପତ୍ରରେ ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ବାଲି । ନକଲି ଟ୍ରାନଜିଟ୍ ଫର୍ମ, ନକଲି ଷ୍ଟାମ୍ପ ଏମିତିକି ତହସିଲଦାରଙ୍କ ଦସ୍ତଖତ ବି ନକଲି । ଦିନ ହେଉ କି ରାତି, ଫେକ୍ ଡକ୍ୟୁମେଣ୍ଟ ଦେଖାଇ ଖୁଲମଖୁଲା ଚାଲିଛି ବାଲି ଚୋରାଚାଲାଣ। ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ବଡ଼ମାଧପୁର ବାଲିଘାଟରୁ ୫ଟି ବାଲିବୋଝେଇ ଟ୍ରକ୍ ଧରାପଡ଼ିବା ପରେ ମାଫିଆଙ୍କର ଚାଲବାଜିର ଚକ୍ରବ୍ୟୁହ ଭେଦ କରୁଛି ପୋଲିସ । ଗିରଫ ତିନି ଜଣଙ୍କୁ ପଚରାଚରା କରି ପୋଲିସ ପାଇଛି ସାଂଘାତିକ ତଥ୍ୟ । ବାଲି ଉଠାଣ ଅନୁମତି ପାଇଁ ବ୍ୟବହୃତ ଟ୍ରାନଜିଟ୍ ବା ଓ୍ବାଇ ଫର୍ମକୁ ନିଜେ ଛାପୁଥିଲେ ଅଭିଯୁକ୍ତ। ତହସିଲଦାରଙ୍କ ଦସ୍ତଖତ, ପରିବେଶ ନିୟନ୍ତ୍ରଣ ଅନୁମତି ପତ୍ର ଓ ଷ୍ଟାମ୍ପକୁ ଜାଲିଆତି କରି ନିର୍ଦ୍ଧାରିତ ପରିମାଣଠାରୁ ୬ଗୁଣା ଅଧିକ ବାଲି ଉଠାଉଥିଲେ। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ମାଲେମାଲ ହେଉଥିଲେ ବାଲି ମାଫିଆ ।

ଗତ ୧୪ତାରିଖ ରାତିରେ ବାଲି ମାଫିଆଙ୍କ କାରସାଦିକୁ ଧରିଥିଲା କୋଦଳା ଥାନା ପୋଲିସ । ୫ଟି ବାଲି ବୋଝେଇ ଟ୍ରକକୁ ଜବତ କରି ଖୋଳତାଡ଼ କରାଯାଇଥିଲା । ଓ୍ବାଇ-ଫର୍ମ ଫର୍ଜରୀ ହୋଇଥିବା ସନ୍ଦେହ ପରେ ତହସିଲଦାରଙ୍କ ମତାମତ ନେଇଥିଲା ପୋଲିସ । ପରେ ଜବତ ୫ଟି ଓ୍ବାଇ-ଫର୍ମ ନକଲି ବୋଲି ସ୍ପଷ୍ଟ ହୋଇଥିଲା। ମାମଲାରେ ବ୍ରହ୍ମପୁରର କୃପାସିନ୍ଧୁ ମୁଦୁଲି, ରାୟଗଡା ଜିଲ୍ଲା ପଦ୍ମପୁରର ଗୋଷ୍ଠ ଚନ୍ଦ୍ର ପାଢୀ ଓ ପୁରୁଷୋତ୍ତମପୁର କୁମାରୀ ଗାଁର ମଙ୍ଗରାଜ ବେହେରାଙ୍କୁ ଗିରଫ କରାଯାଇଛି। ପ୍ରଥମ ମାମଲାରେ ତିନି ଜଣଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ମାତ୍ର ବେଲ୍ ବଣ୍ଡ ଦାଖଲ ହୋଇନଥିବାରୁ ଅଭିଯୁକ୍ତ ମୁକୁଳି ପାରିନଥିଲେ । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଉ ୪ଟି ମାମଲା ରୁଜୁ କରିଥିବାବେଳେ ଗୋଟିଏ ମାମଲାକୁ ଗ୍ରହଣ କରିଛନ୍ତି କୋର୍ଟ ।

ବାଲି ମାଫିଆ କୃପାସିନ୍ଧୁ ମୁଦୁଲି ନାଁରେ ପୂର୍ବରୁ ପୁରୁଷୋତ୍ତମପୁର ଥାନାରେ ୨ଟି ଓ ହିଞ୍ଜିଳି ଥାନାରେ ଆର୍ମସ ଆକ୍ଟ ଭଳି ଗୋଟିଏ ଏବଂ ଏବେ କୋଦଳା ଥାନାରେ ୫ଟି ସହିତ ମୋଟ ୮ଟି ମାମଲା ରହିଛି । ତେବେ ଏହି ବାଲି ଚୋରାଚାଲାଣ ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ ।