ବୈତରଣୀରେ ବାଲି ମାଫିଆଙ୍କ ବେଧଡ଼କ ବାଲି ଚୋରା ଚାଲାଣ, ଗାଁ ଲୋକେ ଚିନ୍ତାରେ

ଭଦ୍ରକ: ବାଲି ମାଫିଆଙ୍କ ଚରାଭୂଇଁ ପାଲଟିଛି ଭଦ୍ରକ ଜିଲ୍ଲାର ବୈତରଣୀ ନଦୀପଠା । ବେଧଡକ ଭାବେ ହେଉଛି ବାଲି ଚୋରା ଚାଲାଣ ।  ଭଣ୍ଡାରୀପୋଖରୀ ବ୍ଲକ ଆଖୁଆପଦା ଠାରୁ ଧାମନଗର ବ୍ଲକ ଦିହୁଡି ଆନନ୍ଦପୁର ଯାଏଁ ସବୁଠି ଚାଲିଛି ବାଲି ଚୋରାଚାଲାଣ । ପ୍ରଶାସନ ଆଖିରେ ଧୂଳି ଦେଇ ମାଲାମାଲ ହେଉଛନ୍ତି ମାଫିଆ । ଏପଟେ ନଦୀ ତଡାଖାଇ ଗତିପଥ ବଦଳାଇ ଗାଁ ମୁହାଁ ହେଉଛି ବୈତରଣୀ । ବନ୍ୟାପାଣି ଆସି ନଦୀ ଅବବାହିକାରେ କରୁଛି କ୍ଷୟକ୍ଷତି । ଏନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।

ରାତି ଅଧରେ ଗାଡି ଯୋଗେ ହେଉଛି ବାଲି ଚୋରାଚାଲାଣ । ବାଲି ପୋଖରୀ ପଞ୍ଚାୟତ ଦେଇଯାଇଥିବା ନଦୀପଠାକୁ ସଂପୂର୍ଣ୍ଣ ଭାବେ ଖୋଳି ନେଇଛନ୍ତି ମାଫିଆ । ସାମାନ୍ୟ ପାଣି ଆସିଲେ ଧାମନଗର ଓ ଭଣ୍ଡାରୀ ପୋଖରୀ ବ୍ଲକର କିଛି ପଞ୍ଚାୟତ ଜଳବନ୍ଦୀ ହେବାସହ ନଷ୍ଟ ହେଉଛି ଏକର ଏକର ଫସଲ ।

ତେବେ ପୋଲିସ ପ୍ରଶାସନ ଚଢାଉକରି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ମାଫିଆଙ୍କ ନାଁରେ ରୁଜୁ କରିଛି ମାମଲା । ହେଲେ ପ୍ରଶାସନର ଏ କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ସଦୃଶ । ପ୍ରଶାସନ ଠୋସ ପଦକ୍ଷେପ ନେଇ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ସୌମ୍ୟ ରଞ୍ଜନ ପାଢୀଙ୍କ ରିପୋର୍ଟ

Leave a Reply