ବଲାଙ୍ଗୀରରେ ବାଲି ମାଫିଆଙ୍କ ରାଜ୍, ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବାଲି ମାଫିଆଙ୍କ ରାଜ୍ । ଚୋରା ବାଲି ଗାଡ଼ି ଅଟକ ରଖିବାରୁ ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ । ମାଡ଼ ମାରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଲେ ମାଫିଆ । ଗତକାଲି ବିଳମ୍ବିତ ରାତିରେ ଲାନ୍ଥନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲେ ଅତିରିକ୍ତ ତହସିଲଦାର ପ୍ରଭାକର ପ୍ରଧାନ ଓ ଆଗଲପୁର ଆରଆଇ ଶୁସାନ୍ତ ପଟେଲ ।

ମଧ୍ୟରାତ୍ରିରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରି ଆଗଲପୁରରେ ପହଞ୍ଚିଥିଲା ଟିମ୍ । ଟ୍ରାକ୍ଟରକୁ ଜବତ କରିବାବେଳେ ଅତିରିକ୍ତ ତହସିଲଦାର, ଆରଆଇ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ହିମାଂଶୁ ବାଗ ଓ ତାର ୮ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ ।

ଖବର ପାଇ ଆଗଲପୁର ଫାଣ୍ଡି ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏନେଇ ଲୋଇସିଂହା ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାକୁ ନିନ୍ଦା କରିଛି ଜିଲ୍ଲା OASସଂଘ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଆସନ୍ତାକାଲି କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ । ମାମଲାରେ କିଛି ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।