ବସଷ୍ଟାଣ୍ଡ ପାଇଁ ହନ୍ତସନ୍ତ ସାନଖେମୁଣ୍ଡି ବ୍ଲକର ୨୬ଟି ପଞ୍ଚାୟତ ଲୋକ

ନନ୍ଦିଘୋଷ ବ୍ୟୁରୋ: ନିୟମିତ ବସଷ୍ଟାଣ୍ଡ ପାଇଁ ହଇରାଣ ହେଉଛନ୍ତି ସାନଖେମୁଣ୍ଡି ବ୍ଲକର ୨୬ଟି ପଞ୍ଚାୟତ ବାସିନ୍ଦା । ଆମ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବତନ ବିଜେଡି ସରକାର ୫କୋଟି ୪୨ ଲକ୍ଷ ଟଙ୍କାର ଟେଣ୍ଡର କରିଥିଲେ । ଓଡିଶା ପୋଲିସ ହାଉସିଂ ବୋର୍ଡ ଏହାର ଟେଣ୍ଡର ନେଇ  କିଛିଦିନ  କାମ କରିଥିବା ବେଳେ ବର୍ତ୍ତମାନ କାମ ସଂପୂର୍ଣ୍ଣ ବନ୍ଦ କରିଦେଇଛି । ତେବେ ବିଜେପି ସରକାର ଆସୁ ଆସୁ ବସ ଷ୍ଟାଣ୍ଡ କାମ ବନ୍ଦ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ । ଲୋକଙ୍କ ପ୍ରଶ୍ନ କଣ ସତରେ ଅଧାରେ ରହିଯିବ ବସଷ୍ଟାଣ୍ଡ ଆଶା ?

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ୨୬ଟି ପଞ୍ଚାୟତର ୨୦ହଜାରରୁ ଅଧିକ ଲୋକଙ୍କ ପାଇଁ ବସଷ୍ଟାଣ୍ଡ ଟିଏ ନାହିଁ । ପୂର୍ବ ବିଜେଡି ସରକାର ଲୋକଙ୍କ ସୁବିଧା ପାଇଁ ଆମ ବସଷ୍ଟାଣ୍ଡ ଯୋଜନା କରିଥିଲା । ବ୍ଲକରେ ବସଷ୍ଟାଣ୍ଡ ନଥିବା ଯୋଗୁ ପୂର୍ବତନ

ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗ ଡାକବଙ୍ଗଳା  ଠାରେ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ କରିଥିଲେ । ୫ କୋଟି ୪୨ଲକ୍ଷରୁ ଅଧିକ ଟଙ୍କାର ଟେଣ୍ଡର କରାଯାଇଥିଲା । ବସଷ୍ଟାଣ୍ଡର ନିର୍ମାଣ ଦାୟିତ୍ଵ ଓଡିଶା ପୋଲିସ ହାଉସିଂ ବୋର୍ଡକୁ ଦିଆଯାଇଥିଲା । ମାର୍ଚ୍ଚ ମାସରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ କିଛି ଦିନ କାମ ଆରମ୍ଭ କରି ପାଚେରୀ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ କାମ ବନ୍ଦ କରିଦେଇଛି ସଂସ୍ଥା । କାହିଁକି କାମ ବନ୍ଦ ରହିଛି ସେ ନେଇ ସ୍ପଷ୍ଟ କରୁନାହାଁନ୍ତି ନିର୍ମାଣକାରୀ ସଂସ୍ଥା ।   ବସ ଷ୍ଟାଣ୍ଡ କାମ ବନ୍ଦ ହୋଇଯିବା ପରେ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଦିଗପହଣ୍ଡି ଆସିକା ଭାୟା ଶେରଗଡ ଜାତୀୟ ରାଜପଥ ୩୨୬ ରହିଥିବା ବେଳେ ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କ ଏକମାତ୍ର ଯୋଗାଯୋଗ ମାଧ୍ୟମ ବସ ହୋଇଥିବା ବେଳେ,ବସ ରହିବା ସ୍ଥାନ ନାହିଁ ।  ଜିଲ୍ଲା ତଥା ଜିଲ୍ଲା ବାହାରୁ ରାତିରେ ବସ ମାଧ୍ୟମରେ ଆସଥିବା ଯାତ୍ରୀ ବସଷ୍ଟାଣ୍ଡ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନ ହେଉ କି ରାତି ବସଷ୍ଟାଣ୍ଡ ନଥିବାରୁ ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଞ୍ଚଳରେ ତୁରନ୍ତ ବସଷ୍ଟାଣ୍ଡ ଦରକାର ଥିବା ବେଳେ ନୂଆ ସରକାର ଆସିବା ପରେ କାମ ବନ୍ଦ ହୋଇଯାଇଥିବାରୁ ଅଞ୍ଚଳବାସୀଙ୍କ ଆଶା ମଉଳି ଯାଇଛି । ବସଷ୍ଟାଣ୍ଡ କାର୍ଯ୍ଯ ଶୀଘ୍ର ସାରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଅଞ୍ଚଳବାସୀ ।