spot_img

Latest Posts

ସମ୍ବିତ ପାତ୍ରଙ୍କ ବୟାନ, ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ

ପୁରୀ : ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି। ତେଣୁ ପ୍ରଚାର ସଭାରେ ରାଜ୍ଯ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ଯନ୍ତ ଧର୍ମ ଓ ଭଗବାନଙ୍କୁ ନେଇ ନାନା ମିଛ ଗପ ଶୁଣାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ନିର୍ବାଚନରେ ଜଗନ୍ନାଥଙ୍କ ମୂର୍ତ୍ତିକୁ କାଖେଇ ମୁଣ୍ଡେଇ ନାଟକ କରିଥିଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଯାହାକୁ ନେଇ ସାରା ଓଡିଶାରେ ତମ୍ବିତୋଫାନ ହୋଇଥିଲା। ଏଥର ସୀମା ପାର୍ କରି ଯାଇଛନ୍ତି ସମ୍ବିତ।

ଭୋଟରେ ହାରିବାର ଚାପ କି ହେଉ କି ତାଳୁ ଫାଟି ଯିବା ଭଳି ଖରା, ଏଥିରେ ବୋଧହୁଏ ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସନ୍ତୁଳନ ବିଗିଡ଼ି ଯାଇଛି। ନ ହେଲେ ତାଙ୍କର ଏତେ ଅହଙ୍କାର ହୁଅନ୍ତାନି। ସେ ଆଜି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ କୁଆଡ଼େ ମୋଦିଙ୍କ ଭକ୍ତ। ସାରା ଜଗତ ଯାହାର ଭକ୍ତ, ସେହି ଜଗନ୍ନାଥ ମୋଦିଙ୍କର ଭକ୍ତ !!! … ଏହା କହିବାକୁ ଆପଣଙ୍କ ଜିଭ କେମିତି ଲେଉଟିଲା ବୋଲି ଓଡ଼ିଶାବାସୀ ପ୍ରଶ୍ନ କରିଛନ୍ତି । ଏତେ ଅହଙ୍କାର କଣ ପାଇଁ। ସମ୍ବିତ ପାତ୍ର ବୋଧହୁଏ ଜାଣନ୍ତି ନାହିଁ, ପୁରୀ ବଡ଼ଦାଣ୍ଡରେ କାଳିଆର ନନ୍ଦିଘୋଷ ଚାଲେ, କାହାରି ଅହଙ୍କାର ରଥ ଗଡ଼ି ପାରେ ନାହିଁ। ଏମିତି କେତେ ନେତା ଯାଇଛନ୍ତି, ଆସିଛନ୍ତି । ଯିଏ ଅହଙ୍କାର କରିଛି, ସେ ମାଟି କାମୁଡି ପଡ଼ିଛି। ଅନ୍ଯ ରାଜ୍ଯର କୌଣସି ନେତା କହିଥିଲେ, ଅଲଗା କଥା। ଜଗନ୍ନାଥଙ୍କୁ ଭଲ ଭାବେ ଜାଣନ୍ତି ନାହିଁ କହି କ୍ଷମା କରାଯାଇପାରିଥାନ୍ତା। କିନ୍ତୁ ଏହି ପବିତ୍ର ଜଗନ୍ନାଥ ମାଟିରେ ଜନ୍ମ ହୋଇ, ଓଡ଼ିଆଙ୍କ ଆରାଧ୍ଯଙ୍କୁ ଏମିତି କେମିତି କହିପାରିଲେ ସମ୍ବିତ ପାତ୍ର। ବିଜେପିର ଏହି ନେତା ଓ ତାଙ୍କ ଦଳ ପୁଣି ଓଡ଼ିଆ ଅସ୍ମିତାର କଥା କହନ୍ତି। ଏହା କଣ ଆପଣଙ୍କ ଓଡ଼ିଆ ଅସ୍ମିତାର ପରିଭାଷା, ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିବା କଣ ଆପଣଙ୍କ ଅସ୍ମିତାର ସଂଜ୍ଞା। ସମ୍ବିତ ପାତ୍ରଙ୍କ ଏହି ମହାପାପ ପାଇଁ ତାଙ୍କ ଦଳ ବିଜେପି ଓଡ଼ିଆଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛନ୍ତି ଜଗନ୍ନାଥଙ୍କ ଭକ୍ତ ।

 

Latest Posts

Don't Miss