ବାପାଙ୍କ ବାଟରେ ପୁଅ, ଦିନେ ବିଜୁ ବାବୁ ରଖିଥିଲେ ବୃଦ୍ଧାଙ୍କ ଅନୁରୋଧ…

ମାଲକାନଗିରି: ଯେତେବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେ ମଧ୍ୟ ସାଧାରଣ ଲୋକଙ୍କ ପ୍ରସ୍ତାବକୁ ସରକାରରେ ପ୍ରୟୋଗ କରନ୍ତି । ସାଧାରଣ ଲୋକଙ୍କ ଅନୁରୋଧକୁ ରକ୍ଷା କରନ୍ତି । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ । ସମସ୍ୟା ସମ୍ବନ୍ଧରେ ଅବଗତ ହେଉଥିଲେ । ଏମିତି ଏକ କାର୍ଯ୍ୟକ୍ରମରେ ଜଣେ ବୃଦ୍ଧା ବିଜୁ ବାବୁଙ୍କୁ ଦୈନିକ ମଜୁରୀ ବୃଦ୍ଧି କରିବା ନେଇ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ମଧ୍ୟ ଦୈନିକ ମଜୁରୀ ବୃଦ୍ଧି କରି ୨୫ ଟଙ୍କା କରିଥିଲେ ।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ସେହି ରାସ୍ତାରେ ଗତି କରୁଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମହିଳା ମମତା ପଡ଼ିଆମୀ ନବୀନ ପଟ୍ଟନାୟକଙ୍କୁ ଚିକିତ୍ସା ସହାୟତା ବୃଦ୍ଧି କରି ୧୦ ଲକ୍ଷ କରିବାକୁ ଅନୁରୋଧ କରିଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଆଜି ତାହାକୁ ପ୍ରତିପାଦିତ କରିଛନ୍ତି । ସେ ମହିଳାଜଣଙ୍କ ମାଲକାନଗିରିର ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏପରି ଏକ ଐତିହାସିକ କାର୍ଯ୍ୟକ୍ରମକୁ ମାଲକାନଗିରି ମାଟିରୁ ହିଁ ଶୁଭାରମ୍ଭ କରିଛନ୍ତି ।
ନବୀନ ବାବୁ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ସାଧାରଣ ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଭେଟିଦେବା ଲାଗି ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଡିଜିଟାଲ କରିବା ସହ ସମସ୍ତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଓଡିଶାର ସାଢେ ତିନିକୋଟି ସାଧାରଣ ହିତାଧିକାରୀ ଏହି ସୁବିଧା ଉଠାଇପାରିବେ । ଯେକୌଣସି ମୂହୂର୍ତ୍ତରେ ମଧ୍ୟ ଅତି ସହଜରେ ୟୋଜନାର ଲାଭା ଉଠାଇପାରିବେ ବୋଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।