ବାତ୍ୟା ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପରୋକ୍ଷରେ ସ୍ୱୀକାର କଲେ ବିଜେପି ନେତା: କହିଲେ, ଆମେ ଗର୍ବିତ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ବିଭିନ୍ନ ମହଲରୁ ବାତ୍ୟାର ସଫଳ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ୧୯୯୯ ମହାବାତ୍ୟା ପରଠୁ ରାଜ୍ୟ ସମ୍ମୁଖିନ ହୋଇଥିବା ପ୍ରତିଟି ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛି ରାଜ୍ୟ । ଏବଂ ସାରା ଦେଶ ଓ ବିଶ୍ୱ ନିକଟରେ ବାତ୍ୟା ମୁକାବିଲା ଦିଗରେ ଏକ ସଫଳ ମଡେଲ ପାଲଟିଛି । ଯାହାକୁ ରାଜ୍ୟ ବିଜେପି ନେତା ମଧ୍ୟ ସ୍ୱୀକାର କରିଛି । ବାତ୍ୟା ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପରୋକ୍ଷାରେ ସ୍ୱୀକାର କରିଛନ୍ତି ରାଜ୍ୟ ବିଜେପି ନେତା । ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ କରାଯାଇଥିବା ପ୍ରଶଂସାକୁ ନେଇ ଆମେ ଗର୍ବିତ ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା ସମୀର ମହାନ୍ତି । ସେ କହିଛନ୍ତି, ଓଡିଶାକୁ ପ୍ରଶଂସା ମାନେ ସାଢେ ୪କୋଟି ଓଡିଆଙ୍କ ଗର୍ବର କଥା । ଯିଏ କେହିବି ଓଡିଶାକୁ ପ୍ରଶଂସା କରୁଛି ସେଥିରେ ଆମେ ଗର୍ବିତ ବୋଲି କହିଛନ୍ତି ସମୀର ମହାନ୍ତି ।

ବାତ୍ୟା ‘ୟାସ’ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି  ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ପୂର୍ବ ପ୍ରସ୍ତୁତି କରିଥିଲେ ତାହାକୁ ନେଇ ସାରା ମହଲରେ ଚର୍ଚ୍ଚା ହେଉଛି । କେବଳ ରାଜ୍ୟରେ ନୁହେଁ ବରଂ ଖୋଦ୍‌ ପ୍ରଧାନମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଛନ୍ତି । ଏହା ବ୍ୟତୀତ ଜାତିସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲିନି ।

ଅନ୍ୟପଟେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରନେତା। ତାଙ୍କ ହାତରେ ଓଡିଶାବାସୀଙ୍କ ଜୀବନ ସୁରକ୍ଷିତ । ୧୯୯୯ ମସିହାରେ ଅର୍ଥ, ମାନବ ସମ୍ବଳ, ବୈଷୟିକ ଜ୍ଞାନ କୌଶଳ କିଛି ନଥିଲା। ସବୁ ନବୀନ ବାବୁଙ୍କ ପରିଶ୍ରମ, ନିଷ୍ଠା ଓ ଦୂରଦୃଷ୍ଟି ଯୋଗୁଁ ଏବେ ଆମେ ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଏକ ନମ୍ବର ହୋଇପାରିଛୁ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ।

Leave a Reply