ସମଲିଙ୍ଗୀଙ୍କ ବିବାହକୁ ମିଳିବ କି ସ୍ବୀକୃତି? ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ :ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଆଜି ହୋଇପାରେ ଅବସାନ । ଆଜି ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହ ସପକ୍ଷ, ବିପକ୍ଷ ଓ ସାମାଜିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟରେ ପଡିଥିବା ଅନେକ ପିଟିସନର ଶୁଣାଣି କରି ଗତ ମେ ମାସରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ ।

ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏସକେ କୌଲ, ଏସଆର ଭଟ୍ଟ, ହିମା କୋଲି ଓ ପିଏସ ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଦେବା ଆଶା ରହିଛି । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ଲାଗି ୧୮ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହାସହ ସ୍ବତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ବିଧିବଦ୍ଧ ବିବାହ ମର୍ଯ୍ୟାଦା ନେଇ ଘୋଷଣା କରିବାକୁ ପିଟିସନର କରିଥିଲେ ଆବେଦନ । ସମଲିଙ୍ଗୀ ଦମ୍ପତି ଆବେଦନ କରିଥିଲେ- ଭାରତ ଏକ ବିବାହଭିତ୍ତିକ ସଂସ୍କୃତିସମ୍ପନ୍ନ ରାଷ୍ଟ୍ର । ତେଣୁ ସମଲିଙ୍ଗୀ ଓ ଅନ୍ୟାନ୍ୟ ବର୍ଗର ଦମ୍ପତିଙ୍କୁ ସମାନ ଅଧିକାର ଦିଆଯାଉ । ଆର୍ଥିକ, ବ୍ୟାଙ୍କିଙ୍ଗ, ବୀମା, ଉତ୍ତରାଧିକାରୀତ୍ବ, ପୋଷ୍ୟ, ସରୋଗାସୀ ଆଦି କ୍ଷେତ୍ରରେ ସାଧାରଣ ଲୋକଙ୍କ ପରି ସେମାନଙ୍କୁ ସମାନ ଅଧିକାର ଦିଆଯାଉ ।