ସମଲିଙ୍ଗୀ ବିବାହକୁ ଧିରେ ଧିରେ ଆପଣେଇଲାଣି ସମାଜ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଧିରେ ଧିରେ ଆପଣେଇଲାଣି ସମାଜ । ଏଭଳି ବିବାହକୁ ଆଇନଗତ ମାନ୍ୟତା ଦେବା ଠିକ କି ନୁହେଁ ସେ ନେଇ ଆଜି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଏହି ବିବାହ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କି ପ୍ରକାର ଦୋଷ ଓ କି ପ୍ରକାର ଗୁଣ ରହିଛି ତା ଉପରେ ଆଲୋଚନା କରିବାକୁ ସମୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ସରକାର।

କିନ୍ତୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ସମୟ ଦେବା ପରିବର୍ତ୍ତେ ଆଜି ସମଲିଙ୍ଗୀ ବିବାହର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଛନ୍ତି । ୨୦ଜଣ ଆବେଦନକାରୀ ସମଲିଙ୍ଗୀ ବିବାହକୁ ଆଇନର ମାନ୍ୟତା ଦେବା ପାଇଁ ଆବେଦନ କରିଥିଲେ । ହେଲେ କେନ୍ଦ୍ର ସରକାର ସେମାନେ ଏଭଳି ଆବେଦନ ପାଇଁ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଇଥିଲେ । ଯାହାକୁ କୋର୍ଟ ଖାରଜ କରିଛନ୍ତି । ଏଭଳି ବିବାହ ସମର୍ଥନରେ ଆଇନଜୀବୀ ମୁକୁଲ ରୋହତଗୀଙ୍କ କହିବା କଥା ଏହା ଆମର ଅଧିକାର । କାହାକୁ ଆମେ ଜୀବନସାଥୀ କରିବା ତାର ସମ୍ପୂର୍ଣ୍ଣ ଅଧିକାର ଆମର ରହିଛି ।

ଭାରତରେ ଅନେକ ବିବାହ ବ୍ୟବସ୍ଥା ଥିଲା, ଯାହା ଏବେ ଅତୀତ । ଏବେ ସମୟ ଆସିଛି ବିବାହ ବ୍ୟବସ୍ଥାରେ ପରିବର୍ତ୍ତନ ହେଉ । ତେବେ ଏଭଳି ମାମଲାର ରାୟ ଦେବା ନ୍ୟାୟପାଳିକାରେ ଅଛି କି ନାହିଁ ବୋଲି ପ୍ରଥମ ସ୍ଥିର କରାଯାଉ ବୋଲି କେନ୍ଦ୍ର ସରକାର କହିଥିଲେ । ଏଭଳି ମାମଲା ସମ୍ପୂର୍ଣ୍ଣ ଭାବେ ସଂସଦର ଅଧିକାର କ୍ଷେତ୍ରରେ ରହିଛି । କିନ୍ତୁ କୋର୍ଟ ଏହାକୁ ଆଗ୍ରାହ୍ୟ କରିଥିଲେ । ମାମଲାର ଶୁଣାଣି ଘୁଂଚାଇବା ପାଇଁ ଏହା ଏକ ବାହାନା ବୋଲି କୋର୍ଟ କହିଛନ୍ତି ।

କେନ୍ଦ୍ର ସରକାରଙ୍କ କହିବା କଥା ଏହି ମାମଲାରେ ରାଜ୍ୟ ସରକାରଙ୍କୁ ବି ପକ୍ଷଭୁକ୍ତ କରାଯାଉ । କାରଣ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମରେ ବିବାହ ପ୍ରାବଧାନ ରହିଛି । ଏଭଳି ବିବାହକୁ ଅନୁମତି ଦେଲେ ଅଧିକାଂଶ ଲୋକ ପ୍ରଭାବିତ ହେବେ । ଏଭଳି ବିବାହ ହେଲେ ସମଲିଙ୍ଗୀ ଦମ୍ପତି ମାନେ ସାମାଜିକ ଅଧିକାର ସହ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହେବେ ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ । ଆସନ୍ତାକାଲି ଓ ଗୁରୁବାର ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ସମାଜର ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କୌଣସି ଏକ ସମୁଦାୟର ମୌଳିକ ଅଧିକାର କ୍ଷୁଣ୍ଣ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି ।