ତାତିଲା ସମ୍ବଲପୁର, ୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

1 min read

ଭୁବନେଶ୍ୱର: ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସର୍ବାଧିକ ୪୦. ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ସମ୍ବଲପୁର  । ଏହା ପଛକୁ ରହିଛି ବୌଦ୍ଧ  । ବୌଦ୍ଧରେ ଆଜି ୪୦. ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି  । ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି  । ଯଦି ଦେଖିବା ରାଜ୍ୟ ପାଣିପାଗ ବିଭାଗ ସୂଚନା ମୁତାବକ ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି  ।

ସମ୍ବଲପୁର ଓ ବୌଦ୍ଧ ବ୍ୟତୀତ ବଲାଙ୍ଗୀର, ଝାରସୁଗୁଡ଼ା, ବାରିପଦା ଓ ତାଳଚେରରେ ମଧ୍ୟ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା  । ସେପଟେ ସର୍ବାଧିକ ଉତ୍ତପ୍ତ ସହର ଭାବେ ପରିଗଣିତ ଟିଟିଲାଗଡ଼ରେ ଆଜି ୪୦ ଡିଗ୍ରୀ ଚଳେ ରହିଛି  । ଅର୍ଥାତ ୩୯. ୮ଡିଗ୍ରୀ ସେଲସିୟସ ରହିଛି ଟିଟିଲାଗଡ଼ର ତାପମାତ୍ରା  । ଅନ୍ୟପଟେ ସୋନପୁର, ଭବାନୀପାଟଣା, ଅନୁଗୋଳରେ ମଧ୍ୟ ଅନୁରୂପ ତାପମାତ୍ରା ରହିଛି  । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକାଂଶ ଜିଲ୍ଲାରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ପରିଲିଖିତ ହେବାର ସମ୍ଭାବନା ରହିଛି  ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ସୂଚନା ମୁତାବକ ରାଜ୍ୟର ୪ଟି ଜିଲ୍ଲା ଯଥାକ୍ରମେ- ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ବର୍ଷା ହେବାର ସମ୍ଭାରବନା ରହିଛି  । ଏହି ସମସ୍ତ ସହରରେ ତାପମାତ୍ରା ହ୍ରାସ ଘଟିପାରେ  । ଅନ୍ୟପଟେ ଯଦି ଦେଖିବା ତେବେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ  । ଅର୍ଥାତ ଏହି ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ  ।