ସମ୍ପତ୍ତି ପାଇଁ ହତ୍ୟା : ବଡ଼ ଭଉଣୀ ସାନ ଭାଇ ମିଶି ମଝିଆଁ ଭଉଣୀକୁ ମାରିଦେଲେ..

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝି ପଡ଼ାରେ ରକ୍ତ ସମ୍ପର୍କରେ ରକ୍ତ ଛିଟା । ସମ୍ପତ୍ତି ଓ ଜମି ବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ନିଜର ମଝିଆ ଭଉଣୀକୁ ହତ୍ୟା । ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଥିବା ଅଭିଯୋଗ । ଗୋବିନ୍ଦପୁର ନିବାସୀ ବିନୋଦ ବିହାରୀ ସାହୁଙ୍କ ମଝିଆ ଝିଅ ଲିନା ସାହୁ ବିବାହ ପରେ ଗତ କିଛି ବର୍ଷ ହେବ ପରିବାର ସହ ନ ରହି ସମ୍ବଲପୁର ଅଞ୍ଚଳରେ ଏକୁଟିଆ ରହି କାମଧନ୍ଦା କରି ଚଳୁଥିଲେ । ଏହା ମଧ୍ୟରେ ପୈତୃକ ସମ୍ପତ୍ତି ଓ ଜମିବାଡ଼ି ଭାଗ ବଣ୍ଟାକୁ ନେଇ ପରିବାର ଭିତରେ ତିକ୍ତତା ବଢ଼ି ଚାଲିଥିଲା ।

ଗତକାଲି ନିଜର ସମ୍ପର୍କୀୟ ବଡ଼ ବାପାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବାକୁ ଆସିଥିଲେ । ସମ୍ପର୍କୀୟ ଭାଇ ଘରେ ବିଶ୍ବାରାମ କରୁଥିବା ବେଳେ ତାଙ୍କ ଅବିବାହିତା ବଡ଼ ଭଉଣୀ ପୁଷ୍ପାଞ୍ଜଳୀ ସାହୁ ଓ ସାନ ଭାଇ ଗୋଲକ ସାହୁ ଲିନାକୁ ଗାଳିଗୁଳଜ କରିଥିଲେ । ବଚସା ପରେ ଛୁରୀରେ ଲିନାକୁ ଅତର୍କିତ ଆକ୍ରମଣ କରିଥିଲେ । ଲିନାଙ୍କୁ ଗୁରୁତର ଅବସ୍ଥାରେ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗୋବିନ୍ଦପୁର ପୋଲିସଅଭିଯୁକ୍ତ ବଡ଼ ଭଉଣୀ ଓ ସାନ ଭାଇକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।  ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ରକ୍ତ ନମୁନା ସଂଗ୍ରହ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ ।