ସମ୍ବଲପୁର ଜିଲ୍ଲାରେ ଦିଗହରା ମୋ ପୋଖରୀ ଯୋଜନା

1 min read

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ଦିଗହରା ହୋଇଛି ମୋ ପୋଖରୀ ଯୋଜନା l ପୂର୍ବ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏସଏଚଜି ମାନଙ୍କୁ ମୋ ପୋଖରୀ ଯୋଜନାରେ କାମ ଯୋଗାଇ ଦେଇଥିଲେ । ଏବେ ସରକାର ବଦଳିବା ପରେ SHG ଗ୍ରୁପମାନେ କରିଥିବା କାମର ପ୍ରାପ୍ୟ ପାଇଁ ମହାନଗର କାର୍ଯ୍ୟାଳୟଠୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଛନ୍ତି । ଆଉ ମୋ ପୋଖରୀ ଯୋଜନା ସେତିକିରେ ହିଁ ବନ୍ଦ ହୋଇପଡ଼ିଥିବା ଅଭିଯୋଗ ହୋଇଛି ।

ଅଧାରେ ଅଟକିଛି ମୋ ପୋଖରୀର ଖନନ କାମ । ପୋତି ହେବାକୁ ବସିଛି ଖୋଳାଯାଇଥିବା ମାଟି । ଆଉ କିଛି ପୋଖରୀ ଅଳିଆଗଦାରେ ପରିଣତ ହୋଇଛି । ସମ୍ବଲପୁର ଜିଲ୍ଲାରେ ଦିଗହରା ହୋଇଛି ମୋ ପୋଖରୀ ଯୋଜନା l ପୋଖରୀ ପୁନରୁଦ୍ଧର ଏବଂ ବ୍ୟବହାର ଉପଯୋଗୀ କରିବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ମୋ ପୋଖରୀ ଯୋଜନା । ସ୍ଵୟଂ ସହାୟକ ମହିଳାଙ୍କୁ ଦିଆଯାଇଥିଲା କାମ । ନିଜର ପୁଞ୍ଜି ଲଗାଇ କାମଙ୍କୁ ଆଗକୁ ବଢ଼ାଇଥିଲେ । କାମ ଆରମ୍ଭ ପରେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ମିଳିପାରୁନି । ମହାନଗର କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ମହିଳାମାନେ ନୟାନ୍ତ ହୋଇସାରିଲେଣି । ଅର୍ଥ ଅଭାବରୁ ସମସ୍ତ ପୋଖରୀ କାମ ଅଧାରେ ଅଟକି ରହିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା ।

ସମ୍ବଲପୁର ମହାନଗର ଅଧୀନରେ ମୋଟ ୮ଟି ପୋଖରୀ ଯୋଜନାରେ ସାମିଲ ହୋଇ କାମ ଆରମ୍ଭ ହୋଇଛି । ପ୍ରତି ପୋଖରୀ ପାଇଁ ୪କୋଟିରୁ ୬କୋଟି ପର୍ଯ୍ୟନ୍ତ ଅର୍ଥ ମଞ୍ଜୁର ହୋଇଥିଲା । ପ୍ରତି ଏସଏଚଜି ମାନଙ୍କୁ ୧୫ଲକ୍ଷ ଟଙ୍କlର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । କେବଳ ଦୁଇଟି ପୋଖରୀକୁ ଛାଡ଼ିଦେଲେ ବାକି ସବୁ ୨୦ ପ୍ରତିଶତ କାମ ହୋଇନାହିଁ । ସେପଟେ କିଛି ସମସ୍ୟା ପାଇଁ ପ୍ରାପ୍ୟ ପାଇବାରେ ବିଳମ୍ଵ ହେଉଛି । କାମ ଆରମ୍ଭ କରିବାକୁ ଏସଏଚଜିଙ୍କୁ କୁହାଯାଇଛି, ଶିଘ୍ର ସମାଧାନ ହେବ ବୋଲି କହିଛନ୍ତି ସମ୍ଵଲପୁର ମହାନଗର ନିଗମ କମିଶନର । ସମ୍ଵଲପୁରେ ମୋ ପୋଖରୀରେ ଯୋଜନାରେ ଅଟକି ରହିଥିବା କୋଟି କୋଟି ଟଙ୍କାର କାମର ଭାଗ୍ୟ ଝୁଲି ରହିଛି । କେବେ କାମର ପ୍ରଥମ କିସ୍ତି ଟଙ୍କା ମିଳିବ ଓ ଯୋଜନା ସମ୍ପୂର୍ଣ୍ଣ ହେବ ତାକୁ ଦେଖିବାକୁ ବାକି ରହିଲା ।