ଘଣ୍ଟିଟିଏ ବାନ୍ଧିଦେଲେ ସନ୍ତୁଷ୍ଟ ହୁଅନ୍ତି ମାଆ, ମାନସିକଧାରୀଙ୍କ ଉପରେ ସମ୍ବଲପୁରର ମାଆ ଘଣ୍ଟେଶ୍ୱରୀଙ୍କ ଅଶେଷ କୃପା

ସମ୍ବଲପୁର: ଘଣ୍ଟି ପ୍ରିୟ ମାଆ ଘଣ୍ଟେଶ୍ବରୀ । ଘଣ୍ଟି ଟିଏ ବାନ୍ଧି ଦେଇ ମାନସିକ ରଖିଲେ ପୂରଣ ହୁଏ ଇଛା । ଏହି ବିଶ୍ବାସ ନେଇ ମାଆଙ୍କ ନିକଟରୁ ପ୍ରତିଦିନ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ପାର୍ବଣ ଆସିଲେ ଅଧିକ ଉତ୍ସବ ମୁଖର ହୁଏ ମାଆଙ୍କ ପୀଠ । ବାଜା ବାଜଣାରେ ଫାଟିପଡ଼େ ପରିବେଶ । ସମ୍ବଲପୁର ସହରର ମହାନଦୀର ଦୁଇ ପଟେ ରହିଛି ଶକ୍ତି ପୀଠ । ଗୋଟିଏ ପଟେ ମାଆ ସମଲେଶ୍ବରୀ ପୂଜା ପାଉଥିବାବେଳେ ଅନ୍ୟ ପଟେ ପୂଜା ପାଉଛନ୍ତି ମାଆ ଘଣ୍ଟେଶ୍ବରୀ । ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ମାଆଙ୍କ ଷୋଳପୂଜା । ଏଥିପାଇଁ ପ୍ରତିଦିନ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଷୋଡଶ ଉପଚାର ପୂଜାଭିତରେ ହୋଇଥାଏ ମାଆ ଘଣ୍ଟେଶ୍ବରୀଙ୍କୁ ସ୍ବତନ୍ତ୍ର ନୀତିକାନ୍ତି ।

ଆଗକୁ ନବରାତ୍ରୀ । ଏଥିପାଇଁ ଦୁଇ ଶକ୍ତିପୀଠରେ ଜୋରଦାର ଚାଲିଛି ପ୍ରସ୍ତୁତି । ନବରାରତ୍ରୀ ପୂଜା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି । ବିଶେଷ କରି ଏହି ଦିନ ମାଆଙ୍କ ବେଶ ଦର୍ଶନ ଓ ମାନସୀକ ପୂରଣ ପାଇଁ ଦୁରର ଦୂରାନ୍ତରୁ ଲୋକେ ଧାଇ ଆସନ୍ତି । ଆଉ ଘଣ୍ଟେଶ୍ବରୀଙ୍କ ପୀଠରେ ଘଣ୍ଟି ଟିଏ ବାନ୍ଧି ମାଆଙ୍କ ନିଜର ଦୁଃଖ ଜଣାନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।