ବୋରଓ୍ବଲରେ ଥିବା ନବଜାତ ଶିଶୁକୁ ଉଦ୍ଧାର ପାଇଁ ଜାରି ରହିଛି ନନଷ୍ଟପ ଅପରେସନ

ସମ୍ବଲପୁର: ପରିତ୍ୟକ୍ତ ବୋରଓ୍ବେଲରୁ ଜୀବନ ମାଗୁଛି ନବଜାତକ । ସମ୍ବଲପୁର ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ବୋରଓ୍ବେଲରେ ପଡ଼ିଛି ଶିଶୁ । ଶିଶୁଟିକୁ ଉଦ୍ଧାର କରିବାକୁ ଚାଲିଛି ନନଷ୍ଟପ ଅପରେସନ । ଗତ ୬ଘଣ୍ଟାରୁ ଅଧିକ ସମୟ ଧରି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ପରିତ୍ୟକ୍ତ ବୋରଓ୍ବେଲର ନବଜାତକଟି ୨୦ରୁ ୨୫ ଫୁଟ ତଳେ ଶିଶୁଟି ଫସିରହିଥିବାବେଳେ ଉଦ୍ଧାରକାରୀ ଟିମ୍ ତାର ନିକଟତର ହେଉଛି । ଏବେ ହାତରେ ମାଟିଖୋଳା କାମ ଚାଲିଛି । ଅଗ୍ନିଶମ ବାହିନୀ, ଓଡ୍ରାଫ ସତର୍କତାର ସହ ମାଟି ଖୋଳା କାମ କରୁଥିବାବେଳେ ଏନଡିଆରଏଫ ଟିମ୍ ଘଟଣାସ୍ଥଳକୁ ଯାଉଛି ।

ସମାନ୍ତରାଳ ଗାତ ଖୋଳି ନଜବାତକଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ୩ଟି ଜେସିବି ସହାୟତାରେ ଗାତ ଖୋଳାଯାଉଛି । ଘଟଣାସ୍ଥଳରେ ୨ ଜଣ ଡାକ୍ତର ଉପସ୍ଥିତ ଅଛନ୍ତି । ଘଟଣାସ୍ଥଳରେ ଏଡିଏମ ଉପସ୍ଥିତ ରହି ଉଦ୍ଦାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି  । ଶିଶୁଟିର ନିକଟକୁ ଅକ୍ସିଜେନ ପାଇପ ପଠାଯାଇଛି । ଶିଶୁଟିକୁ କେହି ବୋରଓ୍ବେଲରେ ଫାପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ, ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ, ଦମକଳବାହିନୀ ଓ ବ୍ଲକ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ବୋରଓ୍ବେଲଟି ୫୦ ବର୍ଷ ତଳେ ଖୋଲାଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି ।