ପୁଣି ବିଜେପିର ଡବଲ୍‌ ଷ୍ଟାଣ୍ଡାର୍ଡ ରାଜନୀତି: ଦିଲ୍ଲୀରେ ଚାଷୀଙ୍କୁ ଅଣଦେଖା, ରାଜ୍ୟରେ ଚାଷୀ ପ୍ରେମୀ

ସମ୍ବଲପୁର: ପୁଣି ବିଜେପିର ଡବଲ୍‌ ଷ୍ଟାଣ୍ଡାର୍ଡ ରାଜନୀତି । ଦିଲ୍ଲୀରେ ଚାଷୀଙ୍କ ହକ୍‌କୁ ଅଣଦେଖା କରୁଥିବା ବେଳେ ଓଡ଼ିଶାରେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଚାଷୀଙ୍କୁ ମୋହରା କରି ରାଜନୀତି ମାଇଲେଜ୍‌ ନେବାକୁ ଚେଷ୍ଟା କରୁଛି ।

ଦୀର୍ଘ ୨୮ ଦିନ ହେବ ଦିଲ୍ଲୀ ଦରବାରରେ ଚାଷୀମାନେ ଶୀତକାକରରେ ପଡ଼ି ଅନ୍ଦୋଳନ କରୁଥିବା ବେଳେ ସରକାର ତାଙ୍କ କଥା ଶୁଣିବାକୁ ନାରାଜ । ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ବିଫଳ ହେଉଛନ୍ତି ଚାଷୀ । ତେବେ ଓଡ଼ିଶାରେ କିନ୍ତୁ ଚାଷୀଙ୍କୁ ନେଇ ରାଜନୀତି ଆରମ୍ଭ କରିଦେଇଛି ବିଜେପି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚା ଉଦ୍ୟମ କରିଛି । ତେବେ କୃଷକମୋର୍ଚ୍ଚାର ଆଇନ ଉଲଂଘନ କାର୍ଯ୍ୟ ଯୋଗୁଁ ତାଙ୍କୁ ଗିରଫ ମଧ୍ୟ କରାଯାଇଛି । ବହୁ ବିଜେପି କର୍ମୀଙ୍କ ସମେତ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଚାଷୀଙ୍କ ହକ୍‌ ଓ ସମସ୍ୟା ସମାଧାନ ପାଇଁ ଏହି ଆନ୍ଦୋଳନ କରାଯାଉଛି ବୋଲି ବିଜେପି କହୁଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ଓଡ଼ିଶାରେ ଚାଷୀଙ୍କ ପାଇଁ ବିଜେପିର ଏତେ ଦରଦ ଆସୁଛି, ତେବେ ଦିଲ୍ଲୀରେ ଦୀର୍ଘ ୨୮ ଦିନ ହେବ ଶୀତ କାକରରେ ପଡ଼ିଥିବା ଚାଷୀଙ୍କୁ କାହିଁକି ଅଣଦେଖା କରାଯାଉଛି । ଚାଷୀ ଆନ୍ଦୋଳନ କରିବାକୁ ଆସିବା ବେଳେ ତାଙ୍କୁ କାହିଁକି ପୋଲିସ ଲଗାଇ ଆକ୍ରମଣ କରାଗଲା ? ବିଜେପିର ଏଭଳି ଡବଲ ଷ୍ଟାଣ୍ଡାର୍ଡ ନୀତି କାହିଁକି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

Leave a Reply