୯ ବର୍ଷରେ ଇଷ୍ଟର୍ଣ୍ଣ ମିଡିଆ ଆକାଉଣ୍ଟରେ ଜମା ହୋଇଛି ୧୦କୋଟିରୁ ଅଧିକ ନଗଦ ଅର୍ଥ

1 min read

ଭୁବନେଶ୍ୱର: ଏକ ନମ୍ବର ଖବରକାଗଜର ଦୋନମ୍ବରୀ କାରବାର । ସମ୍ବାଦ ଲୋନ୍ ସ୍କାମର ସାଂଘାତିକ ସତ । କର୍ମଚାରୀଙ୍କ ନାଁରେ ଲୋନ୍, ହେଲେ ଭର୍ତ୍ତି ହେଉଥିଲା ଇଷ୍ଟର୍ଣ୍ଣ ମିଡିଆର ଆକାଉଣ୍ଟ । ଲକ୍ଷେ କି କୋଟିଏ ନୁହେଁ, ୨୦୧୦ରୁ ୨୦୧୯ ଅର୍ଥାତ ୯ ବର୍ଷରେ ଜମା ହୋଇଛି ୧୦ କୋଟିରୁ ଅଧିକ ନଗଦ ଅର୍ଥ । ସମ୍ବାଦ ଅଫିସରେ ରେଡ୍, ଆକାଉଣ୍ଟ ଖୋଳତାଡ଼ରୁ ଏପରି ପ୍ରମାଣ ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଲୋନ ସ୍କାମ ପାଇଁ ସମ୍ବାଦ କରୁଥିଲା ପ୍ରିପ୍ଲାନ୍ । ବାସ୍ତବ ଦରମା ଓ ଲୋନ୍ ପାଇଁ ଦାଖଲ ସାଲାରି ସ୍ଲିପ୍ ଥିଲା ପୂରା ଅଲଗା ।

ଇଏସଆଇ କାର୍ଯ୍ୟାଳୟରେ ଖୋଳତାଡ଼ ପରେ ସାଲାରି ସ୍ଲିପର ସତ ପାଇଛି ଇଓଡବ୍ଲୁ । କର୍ମଚାରୀଙ୍କ ନାଁରେ ଲୋନ୍ ଇସ୍ୟୁ ହେବା ପରେ ଟଙ୍କା ଉଠାଇ ନେଉଥିଲେ ସମ୍ବାଦର କିଛି ନିର୍ଦ୍ଧିଷ୍ଟ ଅଧିକାରୀ । ଏହାକୁ ଜମା କରାଯାଉଥିଲା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଆକାଉଣ୍ଟରେ । ୯ ବର୍ଷରେ ଯେଉଁ ୧୦ କୋଟିରୁ ଅଧିକ ନଗଦ ଜମା ହୋଇଛି ତାହା କର୍ମଚାରୀଙ୍କ ଲୋନ୍ ଟଙ୍କା କି ନୁହେଁ । ଏପଟେ ଲୋନ୍ ସ୍କାମ ତାଲିକା ଭଳି ସମ୍ବାଦ ଶୋଷଣର ତାଲିକା ବି ଖୁବ ଲମ୍ବା । କର୍ମଚାରୀଙ୍କୁ ESI ଓ EPF ବାବଦରେ ବି ଭଣ୍ଡାଉଥିଲା ଏହି ବଡ଼ ଗଣମାଧ୍ୟମ ।

ଯାହାର ପ୍ରମାଣ ଆପଣଙ୍କ ଆଖିଆଗରେ । ସମ୍ବାଦର ଏ ଅଫର ଲେଟର ଉପରେ ନଜର ପକାନ୍ତୁ । ୨୦୧୯ ସେପ୍ଚେମ୍ବର ୯ ତାରିଖରେ ରାଜକୁମାର ମିଶ୍ରଙ୍କୁ ସର୍କୁଲେସନର ସିନିଅର ଏକଜିକ୍ୟୁଟିଭ ଭାବେ ନିଯୁକ୍ତିପତ୍ର ମିଳିଛି । ଏବେ ନଜର ପକାନ୍ତୁ ସମ୍ବାଦର ଚଞ୍ଚକତା ଓ ଠକେଇ ଉପରେ । ସମ୍ପୂର୍ଣ୍ଣ ଖାଲିପଡ଼ିଛି EPF ଓ ESI ଘର । ESI ଓ EPF ବାବଦ ଟଙ୍କା ଡିପୋଜିଟର ନିୟମକୁ ଜାଣିଶୁଣି ଉଲଂଘନ କରାଯାଇଛି । କର୍ମଚାରୀଙ୍କ ଅଂଶ ସହ ସମ୍ବାଦ ନିଜର ଅଂଶ ମଧ୍ୟ EPF ଆକାଉଣ୍ଟରେ ଡିପୋଜିଟ୍ କରିନାହିଁ ।

ସମ୍ବାଦ କର୍ମଚାରୀଙ୍କୁ ଏ ଅଧିକାର ଦେବାକୁ ସିନା ଭୁଲିଗଲା ହେଲେ ଲୋନ୍ ଲୁଟିବାକୁ ଭୁଲିଲାନି । ଚାକିରି କରିବାର ଦିନ କେଇଟା ପରେ ରାଜକୁମାରଙ୍କ ଆକାଉଣ୍ଟରୁ ବି ଲୋନ୍ କରି ହଡପ କରିଥିଲା ସମ୍ବାଦ । ପରେ ଲୋନ୍ ବନ୍ଦ କରିବାକୁ ଅଭିଯୋଗ ପରେ ବି କିଛି ନଜାଣିଲା ଭଲି ଚୁପ୍ ବସିଗଲେ ଲୋନ ସ୍କାମର କାର୍ପଟଦାର ବୈଜୟନ୍ତୀ କର ।  ସେପଟେ ସମ୍ବାଦ ଲୋନ ସ୍କାମର ଆଉ ଏକ ଫର୍ଦ୍ଦ ଖୋଲିଛନ୍ତି ପୂର୍ବତନ କର୍ମଚାରୀ ସୁଦାମ ପ୍ରଧାନ । ୫ହଜାର ଟଙ୍କା ଦରମା ପାଉଥିବାବେଳେ ତାଙ୍କ ନାଁରେ ବି ସମ୍ବାଦ କରିଥିଲା ଲୋନ୍ ।

ତାଙ୍କରି ମୁହଁରୁ ଶୁଣନ୍ତୁ କେମିତି କର୍ମଚାରୀଙ୍କୁ ଶୋଷଣ କରୁଥିଲା ସମ୍ବାଦ । ପ୍ରତିଦିନ ଖୋଲୁଛି ସମ୍ବାଦର ଲୋନ ସ୍କାମର ନୂଆ ନୂଆ ଗୁମର । କର୍ମଚାରୀଙ୍କୁ ଲୁଟି ଠିଆ ହୋଇଥିବା ସମ୍ବାଦ ବିରୋଧରେ ଇଓଡବ୍ଲୁ ହାତରେ ଲାଗିଛି ପର୍ଯ୍ୟାପ୍ତ ପ୍ରମାଣ । ବ୍ୟାଙ୍କ ସ୍ତରରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ହେଲେ ସତକୁ ଗ୍ରହଣ କରିବାକୁ ନଛୋଡ଼ବନ୍ଧା ସମ୍ବାଦ ତଦନ୍ତରେ ବାଧା ଦେବାକୁ ଚେଷ୍ଟା କରୁଛି ।