ସମ୍ବାଦ ଋଣ ଜାଲିଆତି ମାମଲା; ବଢ଼ୁଛି ଅଭିଯୋଗକାରୀଙ୍କ ସଂଖ୍ୟା

ଭୁବନେଶ୍ୱର: ଥରେ ନୁହେଁ ବାରମ୍ବାର ଜଣେ କର୍ମଚାରୀଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଋଣ କରୁଥିଲେ ସମ୍ବାଦ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ । ଦିନକୁ ଦିନ ସୌମ୍ୟଙ୍କ ଠକେଇର ଫର୍ଦ୍ଦାଫାସ ହେଉଥିବାବେଳେ ପ୍ରତିଦିନ ଋଣ ଠକେଇର ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି । ସମ୍ବାଦର ପୂର୍ବତନ କର୍ମଚାରୀ ଗୌରାଙ୍ଗ ଚରଣ ଦାସ ମଧ୍ୟ ସୌମ୍ୟଙ୍କ ଲୋନ୍ ସ୍କାମର ଶିକାର ହୋଇଛନ୍ତି । ଏନେଇ ସେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି । ଗୌରାଙ୍ଗଙ୍କ ଅଭିଯୋଗ ଅନୁସାରେ ସେ ୧୯୯୯ ମସିହାରେ ସମ୍ବାଦରେ ସିନିଅର ସର୍କୁଲେସନ ଏକ୍ଜୁକ୍ୟୁଟିଭ ଭାବେ ଅନୁଗୁଳରେ ଯୋଗଦେଇଥିଲେ ।

ସେତେବେଳେ ତାଙ୍କ ଦରମା ଥିଲା ୩ ହଜାର ଟଙ୍କା । ୨୦୦୨ରେ ସମ୍ବାଦର ଏଚଆର ବୈଜୟନ୍ତୀ କର ତାଙ୍କୁ ଫୋନ କରି ଦେଖା କରିବାକୁ କହିଥିଲେ । ପରେ କଟକ ଅରୋଣୋଦୟ ମାର୍କେଟ ଏସବିଆଇ ଶାଖାରେ ଏକ ଲୋନ୍ ଆକାଉଣ୍ଟ ଖୋଲିବାକୁ କହିଥିଲେ । ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ କର୍ମଚାରୀଙ୍କ ଲୋନ୍ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ଏଚଆର କହିଥିଲେ । ଲୋନ କରିବାକୁ ରାଜି ନହେବାରୁ ଏବେର ସମ୍ବାଦ ସିଓଓ କମଳାକାନ୍ତ ମହାପାତ୍ର ଗୌରାଙ୍ଗଙ୍କୁ ଫୋନ ଯୋଗେ ଚାକିରି ଯିବାର ଧମକ ଦେଇଥିଲେ ।

ପରେ ବ୍ଲାଙ୍କ ଲୋନ୍ ଆକାଉଣ୍ଟ ଓପନିଂ ଫର୍ମରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା । ଲୋନ ସମ୍ପର୍କରେ ଜାଣିବାକୁ ବ୍ୟାଙ୍କ ଅଧିକାରୀଙ୍କୁ ପଚରାଉଚରା କରିବାକୁ କୌଣସି ସୁଯୋଗ ଦେଇନଥିଲେ ଏଚଆର୍ ବୈଜୟନ୍ତୀ କର ଏବଂ ଜୟପୁର ଏଡିସନ ଏଜିଏମ ବିନୋଦ ପଣ୍ଡା । ଆକାଉଣ୍ଟକୁ ଲୋନ୍ ଟଙ୍କା ଆସିବା ପରେ ସମ୍ବାଦ କର୍ତ୍ତୃପକ୍ଷ ବ୍ଲାଙ୍କ୍ ଓ୍ବିଡ୍ରାଲ ଫର୍ମରେ ଦସ୍ତଖତ ନେଇ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟିନେଇଥିଲେ । ଏତିକିରେ ସରିନଥିଲା ସମ୍ବାଦର ଋଣ ସ୍କାମ । ପ୍ରଥମ ଋଣ ସୁଝାସରିନଥିବା ବେଳେ ପୁଣି ୨୦୦୩ ମସିହାରେ ଦ୍ବିତୀୟ ଲୋନ୍ କରିବାକୁ ଗୌରାଙ୍ଗଙ୍କୁ ବାଧ୍ୟ କରାଯାଇଥିଲା ।

ପ୍ରତିବଦଳରେ ଏକ ଲକ୍ଷ ଟଙ୍କା କମ୍ପାନୀ ତରଫରୁ ଉପହାର ଦେବାକୁ କହିଥିଲେ । ପୁଣିଥରେ ଗୌରାଙ୍ଗଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ଟଙ୍କା ଲୋନ୍ କରାଯାଇଥିଲା । ଅଫିସକୁ ଡାକି ତାଙ୍କୁ ୧ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଏହା ତାଙ୍କ ଦରମାରୁ କଟିଥିଲେ । ହେଲେ ବାକିଟଙ୍କା ଲୁଟିନେଇଥିଲେ ସୌମ୍ବରଞ୍ଜନ । ଏହାର ୬ମାସ ପରେ କଟକ ମଙ୍ଗଳାବାଗ ଏସବିଆଇରୁ ପୁଣି ଗୌରାଙ୍ଗଙ୍କ ନାଁରେ ୫ ଲକ୍ଷ ଟଙ୍କାର ଋଣ କରି ନେଇଯାଇଥିଲେ । ତାଙ୍କ ସାଲାରି ସ୍ଲିପକୁ ନକଲି କରି ଲୋନ୍ ଅଣାଯାଇଥିବା ଗୌରାଙ୍ଗ ଜାଣିବାକୁ ପାଇଥିଲେ । ତାଙ୍କ କଥାରେ ରାଜି ନହୋଇଥିଲେ ଚାକିରି ହରାଇବାକୁ ପଡ଼ିଥାନ୍ତା ବୋଲି ଗୌରାଙ୍ଗ ଏତଲାରେ ଉଲ୍ଲେଖ କରିଛନ୍ତି ।