ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ପାଇଁ ଲାଗି ପଡିଛି ସମ୍ବାଦ ଓ କନକ ନ୍ୟୁଜ୍

1 min read

ଭୁବନେଶ୍ୱର : ସମ୍ବାଦ ବ୍ୟାଙ୍କ ସ୍କାମର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏହି ସବୁ ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ଲାଗି ସମ୍ବାଦ ଓ କନକ ନ୍ୟୁଜ୍ ଦିନ ରାତି ଲାଗି ପଡିଛନ୍ତି । ସମ୍ବାଦ ସପକ୍ଷରେ କହିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଙ୍ଗଠନ ପାଖରେ ନେହୁରା ହେଉଛନ୍ତି । ସମ୍ବାଦର ଏହି ବ୍ୟାଙ୍କ ସ୍କାମ୍ ଲୋକଲୋଚନକୁ ଆଣିବାରୁ ନନ୍ଦିଘୋଷ ଟିଭି ଓ ସକାଳ ବିରୋଧରେ ସମ୍ବାଦ ଓ କନକ ନ୍ୟୁଜ୍ ରକ୍ତ ଚାଉଳ ଚୋବାଇବାରେ ଲାଗିଛନ୍ତି । କିନ୍ତୁ ଯେତେ ଯାହା ଫନ୍ଦି ଫିକର କଲେ, ସତ ସବୁ ବେଳେ ସତ । ତଦନ୍ତ ପରେ ସ୍ପଷ୍ଟ ହୋଇଯିବ କିଭଳି ଜାଲିଆତି ଓ ସ୍କାମ କରି କର୍ମଚାରୀଙ୍କୁ ଶୋଷଣ କରୁଥିଲେ ଇଷ୍ଟର୍ଣ୍ଣ ମିଡିଆ ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ । ନନ୍ଦିଘୋଷ ଟିଭି ମିଛ ଖବର ଦେଖାଇଛି ବୋଲି କନକ ନ୍ୟୁଜ୍ ଦେଖାଇଛି । କାରଣ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗ ମୁଖ୍ୟ EOW ତଦନ୍ତକୁ ଡରି ଫେରାର ହୋଇଥିବା ନନ୍ଦିଘୋଷ ଟିଭି ପ୍ରସାରଣ କରିଥିଲା । ଏହି ଖବର ମିଛ ନଥିଲା । ଦୁଇ ଦିନ ଧରି EOW ସହ ବୈଜୟନ୍ତୀ ଲୁଚକାଳି ଖେଳୁଥିଲେ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ଅଗତ୍ୟା EOW ଅଧିକାରୀଙ୍କ ସାମ୍ନାକୁ ଆସିଥିଲେ । ବୈଜୟନ୍ତୀ EOW ସାମ୍ନାକୁ ଆସିବା ପରେ ନନ୍ଦିଘୋଷ ଟିଭି ଖବର ପ୍ରସାରଣ କରିଥିଲା ଯେ, ବୈଜୟନ୍ତୀଙ୍କୁ ଜେରା କରୁଛି EOW । ଏଥିରେ ମିଛ ଆସିଲା କୁଆଡୁ ? ହେଲେ ଆଜି କନକ ନ୍ୟୁଜ୍ କିନ୍ତୁ ସାଂଘାତିକ ମିଛ ଖବର ପରିବେଷଣ କରିବାରେ ଲାଗିଛି ।

କନକ ନ୍ୟୁଜର ସଦ୍ୟତମ ମିଛ ଖବରଟି ହେଲା ୧୪ ବର୍ଷ ତଳେ ଅସୀମ ମହାପାତ୍ରଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲୋନ୍ କରିଥିଲା । ଏହା ସତ୍ୟ ନୁହେଁ । ଏହା ଅର୍ଦ୍ଧ ସତ୍ୟ ମାତ୍ର । ସତ କଥାଟି ହେଲା, ୨୦୧୫ ମସିହାରେ ଅସୀମଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ବା ସମ୍ବାଦ ଲୋନ୍ କରାଇଥିଲା । ୨୦୨୦ ପର୍ଯ୍ୟନ୍ତ ଅସୀମ ସମ୍ବାଦରେ କାର୍ଯ୍ୟରତ ଥିଲେ । ଅର୍ଥାତ ୮ ବର୍ଷ ତଳେ ଲୋନ୍ କରାଯାଇଥିଲା । ଏହି ଲୋନକୁ ନେଇ ବିବାଦ ହେବାରୁ ଦୁଇ ବର୍ଷ ତଳେ ସମ୍ବାଦ ଛାଡ଼ିଥିଲେ ଅସୀମ । ଅବଶ୍ୟ ଏଭଳି ଭ୍ରମାତ୍ମକ ଖବର ପ୍ରସାରଣ କରିବା ଛଳରେ କନକ ନ୍ୟୁଜ୍ ସ୍ବୀକାର କରିଛି ଯେ, ଅସୀମଙ୍କ ନାଁରେ ସମ୍ବାଦ ଜାଲିଆତି କରି ଋଣ କରିଥିଲା । କେବଳ ଋଣ କଥା ନୁହେଁ, ଗୋଟିଏ ପରେ ଗୋଟିଏ ସମ୍ବାଦର ଜଘନ୍ୟ କେଳେଙ୍କାରୀ ଏବେ ସାମ୍ନାକୁ ଆସିବାରେ ଲାଗିଛି । ସମ୍ବାଦ ଏବଂ କନକ ନ୍ୟୁଜରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ବହୁ କର୍ମଚାରୀ ଇପିଏଫ୍ କି ଇଏସଆଇ ପରିସରଭୁକ୍ତ ହୋଇନାହାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଇପିଏଫ୍ ଏବଂ ଇଏସଆଇ ପରିସରଭୁକ୍ତ ହୋଇନଥିବା ଏହି କର୍ମଚାରୀଙ୍କ ନାଁରେ ମଧ୍ୟ ସମ୍ବାଦ ଋଣ କରି ଋଣ ଟଙ୍କା ହଡ଼ପ କରିଛି । ଗତକାଲି EOW ଦେଇଥିବା ପ୍ରେସ ରିଲିଜରେ ସ୍ପଷ୍ଟ କୁହାଯାଇଛି ଯେ, ସମ୍ବାଦ କେତେବଡ଼ ବ୍ୟାଙ୍କ ସ୍କାମ କରିଆସୁଥିଲା । ଆଉ ଏକ ସୂଚନା ଦେବା ଏଠାରେ ଯଥାର୍ଥ ହେବ ଯେ, EOWରେ ଯେଉଁ ମାମଲା ହୋଇଛି ତାହା ସକାଳର କର୍ମଚାରୀ କରିଛନ୍ତି । କିନ୍ତୁ କନକ ନ୍ୟୁଜ୍, ସମ୍ବାଦ କାହିଁକି ସ୍ବୀକାର କରିବାକୁ ଭୟ କରୁଛନ୍ତି ଯେ, ସକାଳର କର୍ମଚାରୀ ହେବା ପୂର୍ବରୁ ସେ ସମ୍ବାଦର କର୍ମଚାରୀ ଥିଲେ ।

ଏହା ସତ୍ୟ ଯେ, ସମ୍ବାଦର ଦୁଇ ଚାରି ଜଣ ପୂର୍ବତନ କର୍ମଚାରୀ ସକାଳରେ ଏବେ କାମ କରୁଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଜଣେ ଅଧେ EOWରେ ମାମଲା ରୁଜୁ କରିଛନ୍ତି । କିନ୍ତୁ ଅନ୍ୟ ୫ରୁ ୭ ଜଣ ଯେ ସକାଳର କର୍ମଚାରୀ ନୁହଁନ୍ତି । ସେ ଖବର ପ୍ରସାରଣ କରିବାକୁ କନକ ନ୍ୟୁଜ୍ ଓ ସମ୍ବାଦ ଏତେ କୁଣ୍ଠିତ କାହିଁକି ? ଉଦାହରଣ ପାଇଁ ପୂର୍ଣ୍ଣଚନ୍ଦ୍ର ଦେଓ, ଭୈରବ ବ୍ରହ୍ମା ସକାଳର କର୍ମଚାରୀ କି ? କଥାରେ ଅଛି କହି ଦେଉଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ । କନକ ଏବଂ ସମ୍ବାଦର ଅବସ୍ଥା ଏବେ ଠିକ୍ ସେୟା ।