ପ୍ରକଳ୍ପ ଲୋକାର୍ପଣ ପରେ ଲୋକାରଣ୍ୟ ସମଲେଶ୍ବରୀଙ୍କ ମନ୍ଦିର
1 min read
ସମ୍ବଲପୁର: ଲୋକାରଣ୍ଯ ସମ୍ବଲପୁର ମାଆ ସମଲେଇଙ୍କ ପୀଠ। ପ୍ରକଳ୍ପ ଲୋକାର୍ପଣ ପରେ ଲୋକାରଣ୍ୟ ସମଲେଶ୍ବରୀଙ୍କ ମନ୍ଦିର। ରବିବାର ସକାଳ ୬ଟାରେ ମନ୍ଦିର ଖୋଲାହେବା ପରେ ପରେ ଶ୍ରଦ୍ଧାଳୁଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା। ମନ୍ଦିରରେ ମାଆଙ୍କୁ ଦର୍ଶନ କରିବା ସହ ପ୍ରକଳ୍ପ ବୁଲି ଦେଖୁଛନ୍ତି ଶ୍ରଦ୍ଧାଳୁ। ସମସ୍ତଙ୍କ ମୁହଁରେ ମୁଖ୍ଯମନ୍ତ୍ରୀ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଶଂସା।
ସମ୍ବଲପୁର ଏବେ ପାଲଟିଛି ସମସ୍ତଙ୍କ ଡେଷ୍ଟିନେସନ। ମାଆ ସମଲେଶ୍ବରୀଙ୍କ ଦର୍ଶନ ସହ ମନ୍ଦିର ବୁଲି ପ୍ରକଳ୍ପ ଦେଖିବାକୁ ଲାଗୁଛି ଭିଡ଼। ସମଲେଇ ପୀଠ ହୋଇଛି ଲୋକାରଣ୍ଯ। ସକାଳ ୬ଟାରୁ ମନ୍ଦିର ଖୋଲିବା ପରେ ଦେଖିବାକୁ ମିଳିଥିଲା ଲମ୍ବା ଲାଇନ୍। ମାଆ ସମଲେଶ୍ବରୀଙ୍କ ଦର୍ଶନ ସାରି ସମସ୍ତେ ସମଲେଇ ପ୍ରକଳ୍ପବୁଲି ସେଲଫି ନେଇ ସ୍ମୃତି ସାଉଟୁଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ସୌନ୍ଦର୍ଯ୍ଯ ସମସ୍ତଙ୍କୁ ବିମୋହିତ କରିଛି। ଦୀର୍ଘଦିନର ସମ୍ବଲପୁର ବାସୀଙ୍କ ସ୍ବପ୍ନ ପୂରଣ ହୋଇଥିବାରୁ ମୁଖ୍ଯମନ୍ତ୍ରୀ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି।
ଗତକାଲି ବହୁପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଧ୍ଯାରେ ସଂଧ୍ଯା ଆଳତି ଦେଖିବାକୁ ମଧ୍ଯ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଶନିବାର ଠାରୁ ପୀଠରେ ଆରମ୍ଭ ହୋଇଛି ୟଜ୍ଞ। ଚଣ୍ଡିପାଠରେ ଫାଟି ପଡୁଛି ପରିବେଶ। ସବୁଠି ଦେଖିବାକୁ ମିଳୁଛି ଆଧ୍ୟାତ୍ମିକତାର ପରିବେଶ। ସମ୍ପୁର୍ଣ୍ଣ କଳିଙ୍ଗ ଆର୍ଟିଟେକରେ ଖଣ୍ଡୋଲାଇଟ୍ ପଥରରେ ନିର୍ମିତ ଭବ୍ୟ ସମଲେଇ ପ୍ରକଳ୍ପ ଏବେ ଝଲସୁଥିବାବେଳେ ମନମୋହୁଛି ଲେଜର ଶୋ। ଯାହାକୁ ଦେଖିବାକୁ ରାଜ୍ଯ ତଥା ରାଜ୍ଯ ବାହାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଭକ୍ତଙ୍କ ଆସ୍ଥା ଓ ପ୍ରାଣ କେନ୍ଦ୍ର ହେଉଛି ସମଲେଶ୍ବରୀ ମନ୍ଦିର। କୋଟିକୋଟି ଶ୍ରଦ୍ଧାଳୁଙ୍କର ଭାବ ମାଆଙ୍କର ଆସ୍ଥାନ ସହ ଯୋଡି ହୋଇଛି । ଲୋକଙ୍କର ସେହି ଭାବ ଓ ଆବେଗକୁ ସମ୍ମାନ ଜଣାଇ ମାଆଙ୍କ ମନ୍ଦିରର ରୂପାନ୍ତରଣ କରାଯାଇଛି ।