ବନ୍ଧୁକରୁ ଧୂଆଁ ନୁହେଁ ଗୁଳି ବାହାର କରିବାର ଧମକ ଦେଇଥିବା ସପା ବିଧାୟକଙ୍କ ପେଟ୍ରୋଲ ପମ୍ପରେ ଚଢ଼ିଲା ବୁଲଡୋଜର

1 min read

ବରେଲି: ଉତ୍ତର ପ୍ରଦେଶରେ ଯୋଗୀ ସରକାର ପୁନର୍ବାର ଶାସନକୁ ଫେରିବା ପରେ ବ୍ୟବସ୍ଥା ଆହୁରି କଡ଼ାକଡ଼ି ହୋଇ ଯାଇଛି ।  ଅବୈଧ ଭାବରେ ନିର୍ମାଣ ହୋଇଥିବା ବିଲଡିଙ୍ଗ୍‌ ଉପରେ ବୁଲଡୋଜର ଚଲାଯାଉଛି । ଏବେ ବରେଲିରେ ସମାଜବାଦୀ ପାର୍ଟିର ବିଧାୟକ ଶହଜିଲ ଇସଲାମଙ୍କ ପେଟ୍ରୋଲ ପମ୍ପ୍‌କୁ ଯୋଗୀ ସରକାର ମାଟିରେ ମିଶାଇ ଦେଇଛନ୍ତି ।

ଶହଜିଲ ଇସଲାମଙ୍କ ଉପରେ ବିନା ପାସ୍‌ କରି ପେଟ୍ରୋଲ ପମ୍ପ୍‌ ତିଆରି କରିଥିବା ଅଭିଯୋଗ ଲାଗିଛି । ସୂଚନାଯୋଗ୍ୟ  ଶହଜିଲ ଇସଲାମ୍‌ ପ୍ରାୟ ଏକ ସପ୍ତାହ ପୂର୍ବରୁ ବିଧାୟକ ସ୍ୱାଗତ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବିବାଦୀୟ ବୟାନ୍‌ ଦେଇଥିଲେ । ସେ କହିଥିଲେଯେ, ତାଙ୍କ ମୁହଁରୁ  ଶବ୍ଦ ବାହାରିଲେ ଆମ ବନ୍ଧୁକରୁ ଧୂଆଁ ନୁହେଁ ଗୁଳି ବାହାରିବ । ଏଭଳି ବୟାନ୍‌ ଦେବାର ସାତ ଦିନ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।  ତେବେ ବିଧାୟକଙ୍କ ପେଟ୍ରୋଲ ପମ୍ପ୍‌ ଦିଲ୍ଲୀ-ରାମପୁର ନ୍ୟାସନାଲ ହାଇଓ୍ୱେ ଉପରେ ତିଆରି ହୋଇଥିଲା ।

ବୁଧବାର ବରେଲି ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ  ଯୋଗେନ୍ଦ୍ର ସିଂ ଦାୟିତ୍ୱ ନେବା ପରଠାରୁ ଲଗାତାର ତଦନ୍ତ କରାଯାଉଛି ଏବଂ ସରକାରୀ ଜମିକୁ  ମୁକ୍ତ କରାଯାଉଛି ।

୧୭ କୋଟି ଘାଟାରେ ଚାଲୁଥିବା ପ୍ରାଧିକରଣର ଖାତାରେ ଏପର୍ଯ୍ୟନ୍ତ ୧ ହଜାର କୋଟିରୁ ଅଧିକ ଜମା ହୋଇ ସାରିଛି ।  ବରେଲି ବିକାଶ ପ୍ରାଧିକରଣ ମଙ୍ଗଳବାର ବରେଲିର ଷ୍ଟାଡିୟମ ରୋଡ୍‌ ସ୍ଥିତ ସିଟି ଡିଭାଇନ୍‌ ମ୍ୟାରେଜ୍‌ ହଲ ଉପରେ ବୁଲଡୋଜର ଚଢ଼ାଇ ଧ୍ୱଂସ କରିଦେଇଛି ।